Unknown

 

 

 

 

 

 

 

 

 

 

 

ସଫଳ ସହଯୋଗର କାହାଣୀ

ଶ୍ରୀ ଜଗନ୍ନାଥ ମହାନ୍ତି

 

୧୯୬୮-୬୯ ମସିହା ମୌଳିକ ସାହିତ୍ୟ ପ୍ରତିଯୋଗିତାରେ କେନ୍ଦ୍ର, ଖାଦ୍ୟ, କୃଷି, ଗୋଷ୍ଠୀ ଉନ୍ନୟନ ଓ ସମବାୟ ମନ୍ତ୍ରଣାଳୟଦ୍ୱାରା ପୁରସ୍କୃତ

 

ସଫଳ ସହଯୋଗର କାହାଣୀ

 

ଲେଖକ

ଶ୍ରୀ ଜଗନ୍ନାଥ ମହାନ୍ତି, ଏମ୍‌. ଏ. ବି. ଇଡ଼ି

ଅଧ୍ୟାପକ, ରାଜ୍ୟ ଶିକ୍ଷା ପ୍ରତିଷ୍ଠାନ, ଭୁବନେଶ୍ୱର

Image

 

ବହି ବିଷୟରେ ପଦେ

 

ଶହ ଶହ ସାଲର ପରାଧୀନତା ପୋଛି ଦେଶ ଆମର ସ୍ୱାଧୀନ ହେଲା । କେତେ ଯୋଜନା, କେତେ ପରିକଳ୍ପନା କାର୍ଯ୍ୟକାରୀ ହେଲା ତାର ଯୁଗ ଯୁଗର ଦୁଃଖ ଦାରିଦ୍ର୍ୟକୁ ଦୂର କରିବାକୁ । ହେଲେ କୋଡ଼ିଏ ବର୍ଷର ଏତେ ଚେଷ୍ଟା, ଏତେ କାର୍ଯ୍ୟ ସତ୍ତ୍ୱେ ଦେଶ ସ୍ୱଚ୍ଛଳ ଆଉ ସମୃଦ୍ଧ ହୋଇପାରିଲା ନାହିଁ । ଅଭାବ ଅସୁବିଧାର କଳାଅନ୍ଧାର ଏବେ ବି ଭାରତର ଗାଁ ଗହଳି, ସହରର ଗଳିକନ୍ଦିରେ ଆସନ ଜମାଇଛି ।

 

ସେଥିପାଇଁ ଆମର ଜାତି ଜାଗିଛି । ଅତୀତର ତନ୍ଦ୍ରା ଆଜି ହଜିଛି । ଜୀବନ ତାର ନୂଆ ଆଶା ଭରସାରେ ହସି ଉଠିଛି । ତାର ଅନ୍ଧାରୀ ମନ ଭିତର ଆଲୋକିତ ହୋଇ ଉଠିଛି । ସମସ୍ତେ ମିଳିମିଶି ଆଜିର ସବୁ ସମସ୍ୟା, ସବୁ ବାଧାବିଘ୍ନ, ସବୁ ବିପଦ ଆପଦର ମୁକାବିଲା କରିବାକୁ ଅଣ୍ଟା ଭିଡ଼ି ବାହାରିଛନ୍ତି ।

 

ବହୁଦି ତଳେ ଆମର ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁ କହିଥିଲେ ‘‘ପଞ୍ଚାୟତରାଜ ପ୍ରାଥମିକଶିକ୍ଷା, ସମବାୟ ନୀତି,’’ ଏହି ତିନୋଟି ସ୍ତମ୍ଭ ଉପରେ ଜାତିର ଗଉରବ ପୂର୍ଣ୍ଣତା ଲାଭ କରେ ।

 

ସାମ୍ୟ-ସ୍ୱାଧୀନତା ହେବର ଦମ୍ଭ କିନ୍ତୁ ଏବେସୁଦ୍ଧା ଜାତି-କୋଠିର ଏଇ ତିନୋଟି ଯାକ ଖମ୍ୱ ଟାଣ ହୋଇନାହିଁ, ମଜବୁତ ହୋଇନାହିଁ । ତେଣୁ ଜାତିର ସୁଖ ସ୍ୱାଚ୍ଛନ୍ଦ୍ୟ ଏବେ ଦୂରରେ ରହିଛି-। ତାହା ସମସ୍ତଙ୍କୁ ମିଳି ପାରିନାହିଁ । ତେବେ ସମସ୍ତେ ସୁଖଶାନ୍ତିରେ ରହିବେ ଆଉ ସବୁରି ମୁହଁରେ ହସ ଫୁଟିବ ଏ ଆଶା ରହିଛି ।

 

ଏଇ ଆଶା, ଏଇ ସମ୍ଭାବନାର ମୂଳରେ ରହିଛି ଆମ ଦେଶର ଅନେକ ସହଯୋଗ ସମିତିର ସଫଳତା, ଅଗ୍ରଗତିର ଅଭୁଲା ଅଭିଜ୍ଞତା । ସେଇଆକୁ ଆମେ ପୁଞ୍ଜିକରି, ଆଦର୍ଶ କରି ଆଗାମୀ ଆଲୋକମୟ ଯୁଗପାଇଁ ଆଗେଇଚାଲିବା । ଆମରି ଦେଶର ସେଇପରି ସାତୋଟି ସଫଳ ସମିତିର ସରସ କାହାଣୀ ଏଇ ବହିରେ ସାଉଁଟା ହୋଇଛି । ଆଶା, ଅନ୍ୟମାନଙ୍କୁ ଏଥିରୁ କିଛି ଶିକ୍ଷା ମିଳିବ, ନୂଆ ଉତ୍ସାହ ଉଦ୍ଦୀପନା ମିଳିବ ।

 

କେନ୍ଦ୍ର ଓ ରାଜ୍ୟ ସ୍ତରରେ ପ୍ରକାଶିତ ହେଉଥିବା ପତ୍ରପତ୍ରିକା ଯଥା ‘‘ଯୋଜନା’’, ‘‘କୁରୁକ୍ଷେତ୍ର’’, ‘‘କଲ୍ୟାଣୀ’’ ପ୍ରଭୃତି ଏଇ କାହାଣୀଗୁଡ଼ିକ ଲେଖିବାର ପ୍ରଧାନ ଅବଲମ୍ୱନ ହୋଇଛି । ସେଥିଯୋଗୁଁ ଉକ୍ତ ପତ୍ରିକାର ସମ୍ପାଦକ ଓ ସଂପୃକ୍ତ ଲେଖକମାନଙ୍କଠାରୁ ମୁଁ ଗଭୀର କୃତଜ୍ଞତା ପ୍ରକାଶ କରୁଛି । ଇତି ।

 

ବିନୀତ ଲେଖକ

ତା ୨୫ । ୨ । ୬୭

Image

 

ସୂଚୀପତ୍ର

 

୧.

ସାର ଦେଶରେ ଆଗୁଆ

୨.

ଆଶା ଆନନ୍ଦର ଆଲୁଅ ଖେଳିଗଲା

୩.

ମନ ମିଳାଇଲେ ଧନ ମିଳିବ

୪.

ଗପ ପରି ଲାଗିଲେ ବି ନିରାଟ ସତକଥା

୫.

ସହଯୋଗ ଆଜି ସୁଖସ୍ୱପ୍ନ ଦେଇଛି

୬.

ସବୁରି ତୁଣ୍ଡରେ ସମିତିର ଜୟଗାନ

୭.

ଭଗବତ ପାଣ୍ଠିରୁ ସହଯୋଗ କୋଠି

Image

 

ସାରା ଦେଶରେ ଆଗୁଆ

 

ଗୁଜୁରାଟ ରାଜ୍ୟର ଅହମଦାବାଦ ଜିଲ୍ଲା । ସେହି ଜିଲ୍ଲାର ପ୍ରୌରା ନାମରେ ଗୋଟିଏ ସହର । ସେଠାରେ ଜଣେ ବଡ଼ ସାହୁକାରର ଚିନି କାରଖାନା । ଆଖୁ ବୋଝେଇ ହଜାର ହଜାର ଗାଡ଼ି ଆସି ସେ କାରଖାନା ଆଗରେ ଧାଡ଼ି ଲାଗି ଠିଆ ହୋଇଛି । କଳର ମାଲିକ ଚାଷୀମାନଙ୍କ ସାଥିରେ ଆଖୁର ଦର ଭାରି କଷାକଷି କରୁଛନ୍ତି । ଦର ବହୁତ କମ୍‌ ହେଉଥିବାରୁ ଚାଷୀମାନେ ଆଖୁ ଦେଇ ପାରୁନାହାନ୍ତି । ଶେଷରେ କଳମାଲିକ କଡ଼ା ସ୍ୱରରେ ବତାଇଦେଲେ— ‘‘ଆଜି ମୋର ଆଖୁ ଦରକାର ନାହିଁ । କାଲି ଆଣିବ ।’’

 

ଦୂର ଗାଁ ଗଣ୍ଡାରୁ ଧାଇଁ ଧାଇଁ ଆସିଛନ୍ତି ଗରିବ ଚାଷୀକୁଳ । ଆଖୁତକ ବିକି ସହରରୁ ଦରକାରୀ ଜିନିଷ ମାନ କିଣାକିଣି କରିଥାନ୍ତେ । ଏହା ହେଉଛି ସେମାନଙ୍କର ବହୁଦିନର ବେଉସା; ଆଉ ଗତାନୁଗତିକ କାରବାର । କଳ ମାଲିକର ଏପରି ଟାଣ କଥାରେ ସେଦିନ ସେମାନଙ୍କର ମନ ମରିଗଲା । ସବୁରି ଅନ୍ତରରେ ଜଳିଉଠିଲା ରାଗ ଆଉ ଅଶାନ୍ତିର ନିଆଁ । ସେମାନଙ୍କ ମଧ୍ୟରୁ ଜଣେ ଜାଗି ଉଠିଲେ । ତାଙ୍କ ଭିତରେ ଆଗେଇ ନେବାର ଆଲୁଅ ଜଳି ଉଠିଲା । ସେ କହି ଉଠିଲେ— ‘‘ଭାଇମାନେ, ଏହା ସତ ଯେ ଆମେ ଜଣେ କେହି ଗୋଟିଏ ଚିନିକଳ ବସାଇ ପାରିବା ନାହିଁ । କିନ୍ତୁ ଆମେ ସମସ୍ତେ ଏକାଠି ହେଲେ ସହଜରେ ଏମିତି ଆଖୁ କଳଟିଏ ବସାଇ ଦେଇପାରିବା ।’’ ଏହିପରି ଅସୁବିଧାରୁ ରକ୍ଷାପାଇବା ପାଇଁ ସେ କେତେକ ବାଟ ବତାଇ ଦେଲେ ।

 

ବହୁଦିନ ତଳେ ଜଣେ ନାମଜାଦା ସାହେବ କହିଥିଲେ—‘‘ଲୋକମାନଙ୍କ ପାଇଁ କ’ଣ ଭଲ ସେମାନଙ୍କୁ କୁହ । ସେମାନଙ୍କୁ ଠିକ୍‌ ବାଟ ବତାଇ ଦିଅ । ସେମାନେ ଆଗକୁ ମାଡ଼ି ଯିବେ ।’’ ଦୂର ଦେଶର ଏଇ କଥା ପ୍ରୌରଠାରେ ସତ ଫଳିଲା । ବର୍ତ୍ତମାନର ଅଭାବ ଅସୁବିଧାରୁ ମୁକ୍ତି ମିଳିବାର ବାଟ ହେଲା ସହଯୋଗ । ଏଇକଥା ଲୋକଙ୍କୁ ବୁଝାଇ ଦିଆଗଲା । ଯୁଗଯୁଗ ଧରି ମଧ୍ୟସ୍ଥ ବ୍ୟବସାୟୀ, ମହାଜନ ଆଉ ଘରୋଇ ମାଲିକମାନଙ୍କ ଦାଉରୁ ରକ୍ଷାପାଇବା ପାଇଁ ସହଯୋଗ ସମିତି ଗଢ଼ିବାକୁ ସେମାନେ ସମସ୍ତେ ଅଣ୍ଟାଭିଡ଼ି ବାହାରିଲେ । ସବୁରି ମନରେ ଆଶା ଆଉ ଉତ୍ସାହ ଉଜ୍ଜଳି ଉଠିଲା ।

 

ଗୋଟିଏ ଚିନି କଳ ସମବାୟ ରୀତିରେ ବସାଇବା ପାଇଁ ସଭ୍ୟଚାନ୍ଦା ଅସୁଲ ହେଲା । ଘରକୁ ଘର ବୁଲି ନିଜର ଭୋକଶୋଷ ଭୁଲି ଜଣେ ଲୋକ ଆଗୁଆ ହୋଇ ସହଯୋଗର ବାର୍ତ୍ତା ପ୍ରଚାର କଲେ । ଗରିବ ଗାଁଲୋକଙ୍କର ଚାନ୍ଦାରେ କେଉଁଠି କାମ ପୂରୁଚି ? କେତେକ ଚାଷୀ ଋଣ ପାଇବାପାଇଁ ରାଜ୍ୟ ସରକାରଙ୍କୁ ନିବେଦନ କଲେ । କିନ୍ତୁ ସରକାର ଏଇ କେତେଜଣଙ୍କୁ କେଉଁ ବିଚାରରେ ଲକ୍ଷଲକ୍ଷ ଟଙ୍କା ବଢ଼ାଇଦେବେ ? ତେବେ ସେମାନଙ୍କର ଉତ୍ସାହ ଆଉ ଉଦ୍ୟମରେ ସରକାର ବଡ଼ ସନ୍ତୁଷ୍ଟ ଓ ଆଶାୟୀ ହୋଇ ପଡ଼ିଲେ । ଯାହା ଅସୁବିଧା ହେଉ ପଛେ ଲୋକଙ୍କର ସହଯୋଗର ସାହାଯ୍ୟ କରିବାକୁ ସରକାର ପଛାଇଲେ ନାହିଁ ।

 

ପ୍ରୌରା ସମବାୟ ଚିନି କାରଖାନା ଗଢ଼ି ଉଠିଲା । ଏହା ଖାଲି ଗୁଜୁରାଟରେ କାହିଁକି, ସାରା ଭାରତରେ ହେଲା ସର୍ବପ୍ରଥମ ସହଯୋଗ ଭତ୍ତିରେ ଗଢ଼ାଯାଇଥିବା ଚିନି କାରଖାନା । ତା’ର ସଫଳତା ସବୁରି ଆଖି ଖୋଲିଦେଲା; ଆଉ ସୁଖସମୃଦ୍ଧିର ବାଟ ମେଲିଦେଲା । ଏହାର କୃତିତ୍ୱ ପଛରେ ରହିଛି କେତେଜଣ ଆଗୁଆ ଲୋକଙ୍କର ପୋଖତ ନେତୃତ୍ୱ; ଆଉ ସହଯୋଗରେ ଚାଷୀମାନଙ୍କର ଦୃଢ଼ ଆସ୍ଥା ଓ ଆତ୍ମବିଶ୍ୱାସ । ସେମାନେ ସମସ୍ତେ ଅନୁଭବ କଲେ ଯେ ଜାତିକି ହାତୀ ସରି ନୁହେଁ । ଏକାଠି ମନ ମିଳାଇ କାମ କଲେ ବହୁ ସୁବିଧା ମିଳି ପାରିବ । ଜଣେ ଇଚ୍ଛା କଲେ ଯାହା କରି ନ ପାରିବ, ଦଳେ ଇଚ୍ଛା କଲେ ସହଜରେ ହୋଇ ପାରିବ ।

 

ଗୁଜୁରାଟରେ ଜଳସେଚନର ସୁବିଧା ଖୁବ୍‌ କମ୍‌ । ବିନ୍ଦୁଏ ପାଣି ନଷ୍ଟ ନ କରି ଯଦି ସବୁ ପାଣି ସଞ୍ଚିବାକୁ ହେବ, ତେବେ ସେଥିରେ ଖୁବ୍‌ ବେଶିରେ ସବୁ ଚାଷ ଜମିର ତିନି ଭାଗରୁ ଏକଭାଗ ହିଁ ପାଣି ମଡ଼ାଯାଇ ପାରିବ । ଜଳସେଚନ ସୁବିଧା ନ ଥିବାରୁ କ୍ଷେତକାମ ସନ୍ତୋଷ-ଜନକ ହୋଇ ପାରେ ନାହିଁ । ଜଣେ କେହି ଏକା ଏଥିରେ ସୁବିଧା କରିବାକୁ ମନ କଲେ ବହୁତ ଖର୍ଚ୍ଚ ଓ କଷ୍ଟ କରିବାକୁ ହୋଇଥାଏ । ତେଣୁ ଧନୀ ଜମିଦାରଙ୍କ ଛଡ଼ା ଆଉ କେହି ଚାଷୀ ନିଜ କ୍ଷେତରେ ଜଳସେଚନର ସୁବିଧା କରିବାକୁ ସାହସୀ ହେଉ ନଥିଲେ । ତେଣୁ ଗୁଜୁରାଟରେ ସହଯୋଗୀ ଆନ୍ଦୋଳନର ସଫଳତା ମୂଳରେ ରହିଲା ଜଳସେଚନର ସୁବିଧା । ଚାଷୀମାନଙ୍କୁ ପଚାରିଲେ କହନ୍ତି, ‘‘ଏଥିପାଇଁ ଆମେ ଚିନିକୁ ପିମ୍ପୁଡ଼ି ଲାଗିଲା ପରି ସମିତିକୁ ଧରି ଥାଉଁ ।’’

 

କ୍ରମେ ସେମାନେ ଦେଖିଲେ ଯେ ଚିନିକଳ ସହିତ ଅନ୍ୟ କେତେକ ଲାଭଜନକ ବେଉସା ଯୋଡ଼ା ଯାଇପାରେ । ସେମାନଙ୍କର ଅବସ୍ଥା ସ୍ୱଚ୍ଛଳ କରିବାପାଇଁ କେତେକ ଛୋଟକାଟର କାମ ଧରିବାକୁ ହେବ । ଆଧୁନିକ ରୀତିରେ ଶହ ଶହ କୁକୁଡ଼ା ପାଳନର ବ୍ୟବସ୍ଥା କରାଗଲା । ଆଜିକାଲି ସେଥିରୁ ଭଲ ରୋଜଗାର ହେଉଛି । ଚାଷୀମାନଙ୍କ ପାଇଁ ଦରକାରୀ ଉପକରଣ ତିଆରି କରି ଯୋଗାଇଦେବା ଉଦ୍ଦେଶ୍ୟରେ ପ୍ରୌରା ଚିନି କାରଖାନାରେ ଗୋଟିଏ ଶାଖା ମଧ୍ୟ ରହିଛି । ଅତି ଜଣାଶୁଣା କାରଖାନାରେ ତିଆରି ହେଉଥିବା ପଦାର୍ଥ ସହିତ ଆଜିକାଲି ଏଠାରେ ଜିନିଷଗୁଡ଼ିକ ଟକ୍‌କର ଦେଇ ପାରୁଛି ।

 

ସମାଜର ମଙ୍ଗଳପାଇଁ ପ୍ରୌରା ସହଯୋଗ ସମିତି ଅନେକ କାର୍ଯ୍ୟକ୍ରମ କାର୍ଯ୍ୟକାରୀ କରୁଛି । ଆଧୁନିକ ଢଙ୍ଗରେ ସବୁପ୍ରକାର ସୁବିଧା ଥାଇ ଅନେକ ବିଦ୍ୟାଳୟ ଗଢ଼ିଉଠିଛି । କେତେକ ଡାକ୍ତରଖାନା ମଧ୍ୟ ସ୍ଥାପିତ ହୋଇ ସମସ୍ତଙ୍କର ସେବା କରି ଆସୁଛି । ପ୍ରୌରା ସହଯୋଗ ଚିନି କାରଖାନା ଆଜି ନାନା ଦିଗରେ ଖାଲି ଗୁଜୁରାଟ ରାଜ୍ୟରେ କାହିଁକି, ସାରା ଦେଶରେ ଆଦର୍ଶ ହୋଇଛି । ତେଣୁ ୧୯୬୧ ମସିହାରେ ସ୍ୱର୍ଗୀୟ ପ୍ରଧାନ ମନ୍ତ୍ରୀ ଜବାହରଲାଲ ନେହେରୁ ଏହି କାରଖାନାଟି ଦେଖି କହିଥିଲେ ‘‘ମୋର ଇଚ୍ଛା ଅନ୍ୟ ରାଜ୍ୟରୁ ଲୋକେ ଏଠାକୁ ଆସନ୍ତୁ ଏବଂ ଦେଖନ୍ତୁ ପ୍ରକୃତରେ ସହଯୋଗୀ ଅନୁଷ୍ଠାନ କିପରି ଚଳୁଛି, ଆଉ କାମ କରୁଛି । ସାରା ଭାରତପାଇଁ ଏହା ଗୋଟିଏ ଉଜ୍ଜ୍ୱଳ ଉଦାହରଣ ।’’

 

ଏହି ସହଯୋଗୀ ଅନୁଷ୍ଠାନକୁ ପ୍ରଥମେ ଯେଉଁମାନେ ରୂପଦେଇ ସଫଳତାର ବାଟ ବତାଇ ଥିଲେ ସେମାନଙ୍କ ମଧ୍ୟରେ ଶ୍ରୀ ବିଠଲରାଓ ବିଖେ ପ୍ରଧାନ । ତାଙ୍କୁ ଅନେକ ସେ ଅଞ୍ଚଳର ବିଖେ ପଟିଲ ନାମରେ ଭଲକରି ଜାଣନ୍ତି । ତାଙ୍କର ନିପୁଣ ପରିଚାଳନା ଶକ୍ତି, କାର୍ଯ୍ୟନିଷ୍ଠା ଆଉ ସମାଜସେବା ମନୋବୃତ୍ତି ଗୁଜୁରାଟରେ ସହଯୋଗର ଟାଣ ମୂଳଦୁଆ ପକାଇଛି । ତେଣୁ ତାଙ୍କୁ ଭାରତ ସରକାର ଜାତିର ସମ୍ମାନ ଦେବା ଉଦ୍ଦେଶ୍ୟରେ ‘‘ପଦ୍ମଶ୍ରୀ’’ ଉପାଧି ପ୍ରଦାନ କରିଥିଲେ ।

 

ସହଯୋଗୀ ଚିନି କାରଖାନାରେ ଗୁଜୁରାଟ ଆଜି ସାରା ଭାରତରେ ଆଗୁଆ ଆଉ ଜଣାଶୁଣା । ଆଜିକାଲି ଶିକ୍ଷା, ସ୍ୱାସ୍ଥ୍ୟ, ବାଣିଜ୍ୟ ବ୍ୟବସାୟ ଆଦି ସମାଜ ମଙ୍ଗଳ କାର୍ଯ୍ୟଗୁଡ଼ିକରେ ଏହି ସମବାୟ ଅନୁଷ୍ଠାନଗୁଡ଼ିକ ମୁଖ୍ୟ ଅଂଶ ଗ୍ରହଣ କରୁଛି । ଲୋକମାନଙ୍କର ସୁଖଶାନ୍ତି ବଢ଼ାଇବାରେ କାର୍ଯ୍ୟ କରୁଛି ।

Image

 

ଆଶା ଆନନ୍ଦର ଆଲୁଅ ଖେଳିଗଲା

 

ବିହାରର ଛୋଟ ନାଗପୁର ଅଞ୍ଚଳ । ତା’ଭିତରେ ବିଷୁନପୁର ଆଦିବାସୀ ବ୍ଳକ୍‍ । ସେଥିରେ ଅଛି ଗୋଟିଏ ବଣ ପାହାଡ଼ ଘେରା ଛୋଟ ଗାଁ । ନାଁ ତା’ର ଚିପ୍ରି । ଗାଁଟିରେ ସମୁଦାୟ ୭୨ଟି ଘର, ଯେଉଁଥିରୁ ଷୋଳ ଘର ତାନାଭଗତ ଏବଂ ବାକିତକ ଓରାଓନ । ସମସ୍ତେ ଆଦିବାଦୀ, ଗରିବ ଆଉ ଅସହାୟ ।

 

ଦେଶ ସ୍ୱାଧୀନ ହେଲା । ସବୁରି ମନରେ ଆନନ୍ଦ ଉତ୍ସାହ । ଚିପ୍ରି ଗାଁ ମଧ୍ୟ ସେଥିରୁ ବାଦ ପଡ଼ିଲା ନାହିଁ । ହେଲେ ବାରବର୍ଷ ବିତିଗଲା । ସେମାନେ ସ୍ୱାଧୀନତାର ସୁଆଦ ଚାଖି ପାରିଲେ ନାହିଁ । ଯେଉଁ ଅଭାବ, ଦୁଃଖ, କଷ୍ଟ ଆଗରୁ ଥିଲା, ସେମିତି ଲାଗି ରହିଥିଲା । ବରଂ ବଣ ଜଙ୍ଗଲରେ ରହି ସେମାନେ ଶିକାର କରି କାଠ କାଟି, ଫଳମୂଳ ଗୋଟାଇ, ମନ ମଉଜରେ ଚଳିବାର ଯେଉଁ ସ୍ୱାଧୀନତା ଉପଭୋଗ କରୁଥିଲେ ସେଥିରେ ଅଧିକରୁ ଅଧିକ ଆଞ୍ଚ ଆସିଲା ।

 

ଗାଁଟିର ଚଉଦିଗର ଘନ ଜଙ୍ଗଲ, ଆଉ ବହଳିଆ ବାଉଁଶ ବଣ । କେଉଁ ସୁଦୂର ଅତୀତରୁ ସେଇ ଗାଁର ଆଦିବାସୀମାନେ ମନଇଚ୍ଛା ବାଉଁଶ ଓ ଜାଳେଣି କାଠ କାଟି ନିଜର ଅଭାବ ମେଣ୍ଟାଉଥିଲେ । କିନ୍ତୁ ରାଜ୍ୟରେ ଜଙ୍ଗଲ ବିଭାଗ ହଠାତ୍‌ଏ ସୁବିଧାରେ ବାଧା ଦେଲେ । ଜଙ୍ଗଲଗୁଡ଼ିକୁ ବାହାର ଠିକାଦାରମାନେ ନିଲାମରେ ଧରିଲେ । ଫଳରେ ଆଦିବାସୀମାନେ ଗୋଟିଏ ବାଉଁଶ ପତ୍ର ସୁଦ୍ଧା ଜଙ୍ଗଲରୁ ଉଠାଇ ପାରିଲେ ନାହିଁ । ଜାଳେଣି କାଠ କି ବାଉଁଶ ଖଣ୍ଡେ କାଟିବା ତ ଦୂରର କଥା । ତେଣୁ ଆଦିବାସୀମାନଙ୍କ ମନରେ ବଡ଼ ରାଗ ଓ ଅଶାନ୍ତି ଖେଳିଗଲା ।

 

୧୯୫୯ ମସିହାରେ ଠିକାଦାର ସାଥିରେ ଆଦିବାସୀମାନେ ଭାରି ଗଣ୍ଡଗୋଳ କଲେ । ସେମାନେ ପୁରୁଷ ପୁରୁଷ ଧରି ଭୋଗି ଆସୁଥିବା ସୁବିଧା ସୁଯୋଗ ଆଦୌ ଛାଡ଼ିବେ ନାହିଁ । ମାଗଣାରେ ନିଜର ଦରକାର ମୁତାବକ ଜଙ୍ଗଲରୁ କାଠ ବାଉଁଶ କାଟିବା ସେମାନଙ୍କର ଜନ୍ମଗତ ଅଧିକାର । ଯାହା ହେଉ ପଛେ ସେମାନେ ନିଶ୍ଚୟ ତାହା କରିବେ । ଏହି ହେଲା ସରଳ ଆଦିବାସୀମାନଙ୍କର ଜଟିଳ ଦାବି । ଠିକାଦାର ଏଥିରେ ସହଜେ ରାଜି ହେଉଛି କେଉଁଠି ? ତେଣୁ ପରିସ୍ଥିତି ବଡ଼ ସଙ୍ଗୀନ୍‌ ହୋଇ ଉଠିଲା ।

 

ଏଇ ଅଞ୍ଚଳରେ ବାଇଶ ବର୍ଷର ଗୋଟିଏ ଯୁବକ; ନବମ ଶ୍ରେଣୀଯାଏ ଶିକ୍ଷା ଦିକ୍ଷା । ଆଗରୁ ସେ ଜଣେ ଜଙ୍ଗଲ ଠିକାଦାର ପାଖରେ କିଛିଦିନ କାମ କରିଥିଲା । ତେଣୁ ଜଙ୍ଗଲ କାମ, ଠିକା ଆଦି ବିଷୟରେ ତା’ର କିଛି ଅନୁଭୂତି ଆଉ ଜ୍ଞାନ ମଧ୍ୟ ଥିଲା । ସେଠାରେ ଜଙ୍ଗଲ ବିଭାଗର କର୍ମ-କର୍ତ୍ତାଙ୍କୁ ଆଦିବାସୀମାନଙ୍କର ଦାବୀ ଦୃଢ଼ଭାବରେ ଜଣାଇଲା ।

 

୧୯୫୯ ମସିହା ସରି ଆସୁଥିଲା । ସେଇ ଅଳ୍ପ ଶିକ୍ଷିତ ଯୁବକଙ୍କ ଚେଷ୍ଟାରେ ଗ୍ରାମବାସୀମାନଙ୍କର ଗୋଟିଏ ସଭା ହେଲା । ମୋଟେ ୧୬ ଜଣ ଲୋକ ଏକାଠି ହେଲେ । ସେମାନେ ଠିକ୍‌ କଲେ ଯେ ଜଙ୍ଗଲ ବିଭାଗର ହାକିମଙ୍କୁ କହି ତାଙ୍କ ଗାଁ ପାଖ ଜଙ୍ଗଲକୁ ସେମାନେ ଠିକା ନେବେ । ସେଇ ବିଚାର ଅନୁସାରେ ଯୁବକ ଜଣକ ହାକିମଙ୍କୁ ଭେଟି ଗୁହାରୀ ଜଣାଇଲା ଆଉ ଗାଁ ଲୋକଙ୍କ ତରଫରୁ ଦରଖାସ୍ତଟିଏ ଦେଲା । ଜଙ୍ଗଲ ବିଭାଗର ହାକିମ ସବୁ କଥା ଧୀରସ୍ଥିର ହୋଇ ଶୁଣିଲେ । ଶେଷରେ କହିଲେ, ‘‘ଦେଖନ୍ତୁ, ସହଯୋଗ ସମିତିଟିଏ ଗଢ଼ି ଆପଣମାନେ ଜଙ୍ଗଲଟିକୁ ଠିକା ନେଇପାରିବେ । ସେଠାରୁ ବାଉଁଶ, କାଠ ଯାହା ମିଳିବ କାଟିପାରିବେ ।’’

 

ଯୁବକଟି ଫେରି ଗାଁ ଲୋକମାନଙ୍କୁ ଗାଁ କୋଠ ଘରେ ଏକାଠି କରି ଗୋଟିଏ ସଭାରେ ସବୁ କଥା ବୁଝାଇ ଦେଲେ । ସମସ୍ତେ ଏଥିରେ ରାଜି ହେଲେ । ଗୋଟିଏ ଜଙ୍ଗଲ ଶ୍ରମ ସମବାୟ ସମିତି ଗଢ଼ି ଉଠିଲା । ୧୯୬୦ ମସିହାର ଆରମ୍ଭରେ ଏହାର ମୂଳଦୁଆ ପଡ଼ିଲା । ପ୍ରଥମେ ପନ୍ଦର ଜଣ ସଭ୍ୟ ଓ ତିନିଶହ ଟଙ୍କା ମୂଳଧନରେ ସମିତିର କାମ ଆରମ୍ଭ କରାଗଲା । ସମିତିଟି ଠିକ୍‌ ମତେ ରେଜେଷ୍ଟ୍ରି କରାଗଲା । ୧୯୬୦-୬୧ ମସିହାରେ ଗାଁ ପାଖକୁ ଲାଗି ୩୭୮ ଏକର ଜଙ୍ଗଲ ସେ ସମିତିକୁ ଠିକା ଦିଆଗଲା । ସହଯୋଗ ବିଭାଗରୁ ସମିତି ଏକ ହଜାର ଟଙ୍କା ଋଣ ପାଇଲା । ସେଇ ଟଙ୍କାତକ ଜଙ୍ଗଲ କାମରେ ଖର୍ଚ୍ଚ କରାଗଲା ।

 

ବାହାରେ ବିକ୍ରି ହେବାପାଇଁ ଜଙ୍ଗଲରୁ କାଠ ଓ ବାଉଁଶ ଠିକ୍‌ ସମୟରେ କଟାଗଲା; ଆଉ ଲୋକମାନେ ବି ନିଜନିଜର ଦରକାର ମୁତାବକ କାଟିନେଲେ । ପ୍ରଥମ ବର୍ଷ କେବଳ ବିକ୍ରିବଟାରୁ ତିନିହଜାର ଟଙ୍କା ଆୟ କରାଗଲା । ଆଉ ସେଥିରୁ ସାତଶହ ଷାଠିଏ ଟଙ୍କା ଖାଲି ଜଙ୍ଗଲ ବିଭାଗକୁ ଖଜଣା ବାବଦକୁ ଦିଆଗଲା । ସେଇ ବର୍ଷ ସମିତିର ଆଠଶହ ଟଙ୍କା ଲାଭ ହେଲା ଏବଂ ତାହା ସମବାୟ ବ୍ୟାଙ୍କରେ ଜମା ଦିଆଗଲା ।

 

ତା’ ପରବର୍ଷ ୧୯୬୨ ମସିହାରରେ ଜଙ୍ଗଲ ବିଭାଗ ଦ୍ୱାରା ପୁଣି ୩୮୭ ଏକର ଜଙ୍ଗଲ ଚିପ୍ରି ସହଯୋଗ ସମିତିକୁ ଠିକା ଦିଆଗଲା । ସେ ବର୍ଷ ମଧ୍ୟ ସମିତି ସନ୍ତୋଷଜନକ ଭାବରେ କାର୍ଯ୍ୟ କରିଥିଲା, ଏବଂ ପ୍ରଚୁର ଆୟ କରି ପାରିଥିଲା । ଏକ ହଜାର ଟଙ୍କା ସରକାରୀ ଋଣ ସୁଝି ଆଉ ଦୁଇହଜାର ଟଙ୍କାର ଖଜଣା ଜଙ୍ଗଲ ବିଭାଗକୁ ଦେଇ ସମିତି ପୁଣି ଚାରିହଜାର ଚାରି ଶହ ଟଙ୍କା ଲାଭ କରିଥିଲା । ଏହି ସମୁଦାୟ ଟଙ୍କାତକ ସମବାୟ ବ୍ୟାଙ୍କରେ ଜମା ଦିଆଗଲା-। ଏଥିଭିତରେ ସମିତିର ସଭ୍ୟ ସଂଖ୍ୟା ୧୫ରୁ ବଢ଼ି ୩୫ ହୋଇଗଲା ।

 

ସନ୍ତୋଷଜନକ କାର୍ଯ୍ୟକଳାପ ଯୋଗୁ ପରେ ପରେ ଚିପ୍ରି ସହଯୋଗ ସମିତିକୁ ଆଉ ଦି ତିନୋଟି କୁପ୍‌ ବା ମୋଟ ହଜାର ହଜାର ଏକର ଜଙ୍ଗଲ ଠିକା ଦିଆଗଲା । ଏବେ ଆଉ କୌଣସି ବାହାର ଲୋକକୁ ଜଙ୍ଗଲ ଠିକା ଦିଆଯାଉନାହିଁ । ସେ ଅଞ୍ଚଳର ସବୁ ଜଙ୍ଗଲରୁ ନିଜର କିଛି ଯାନ ବାହନର ସୁବିଧା ନ ଥିବା ଯୋଗୁଁ, ଘରୋଇ ଲୋକଙ୍କର ଟ୍ରକରେ ସମିତିର କାଠବାଉଁଶ ବାହାରକୁ ଚାଲାଣ କରବାକୁ ହୋଇଥାଏ । ସମୟ ସମୟରେ ଏହି ଯୋଗାଣ କାମ ନିୟମିତ ହୋଇ ପାରେ ନାହିଁ । ତେଣୁ ସମିତି ଓ ଗ୍ରାହକମାନଙ୍କୁ ଅସୁବିଧା ଭୋଗ କରିବାକୁ ହୋଇଥାଏ । ସମିତି ମଧ୍ୟ ବର୍ଷକୁ ଏ ବାବଦରେ ହଜାର ହଜାର ଟଙ୍କା ଖର୍ଚ୍ଚ କରିଥାଏ ।

 

ଚିପ୍ରି ସମିତି ଖୁବ୍‌ ଭଲ ଭାବରେ କାମ କରିବାରୁ ଅନେକ ମହାଜନ ବ୍ୟବସାୟୀ ଆଉ ଅଣ-ଆଦିବାସୀ ମୁଖିଆ ଲୋକଙ୍କର ଦେହ ସହିଲା ନାହିଁ । ସେମାନେ ନାନା ଷଡ଼ଯନ୍ତ୍ର କରି ସମତିକୁ ଭାଙ୍ଗି ଦେବାକୁ ଚେଷ୍ଟାକଲେ । ସମିତିର ସଭ୍ୟମାନଙ୍କ ମଧ୍ୟରେ ଅଶାନ୍ତି ଓ ମନୋମାଳିନ୍ୟ ସୃଷ୍ଟି କଲେ । କିନ୍ତୁ ସେମାନଙ୍କର ସବୁ ଚେଷ୍ଟା ବିଫଳ ହେଲା । ନାନା ବାଧାବିଘ୍ନ ସତ୍ତ୍ୱେ ସମିତି ତା’ର ସମୃଦ୍ଧି ପଥରେ ଆଗେଇ ଚାଲିଲା ।

 

ଭାରତର ଅନୁନ୍ନତ ଆଦିବାସୀ ଅଞ୍ଚଳଗୁଡ଼ିକରେ ଚିପ୍ରି ଶ୍ରମ ସହଯୋଗ ସମିତି ଆଜି ଆଶା ଓ ଆନନ୍ଦର ଆଲୁଅ ଖେଳାଇ ଦେଇଛି । ସ୍ୱାର୍ଥପର ସାହୁ ମହାଜନଙ୍କ ଦାଉରୁ ରକ୍ଷା ପାଇ ସୁଖଶାନ୍ତିରେ ରହିବାପାଇଁ ଏଇପରି ସହଯୋଗ ସମିତିମାନ ନିତାନ୍ତ ଦରକାର । ଆଜିକାଲି ସମସ୍ତେ ବୁଝିଲେଣି, ସରଳ ଆଦିବାସୀମାନେ ମନ ମିଳାଇ ଚଳିଲେ ବାହାର କୁଟିଳ ପ୍ରକୃତିର ଲୋକମାନେ କେଉଁଆଡ଼େ ଆଡ଼ ହୋଇଯିବେ । ଅନ୍ୟାୟ ଅତ୍ୟାଚାର ଅଭାବ ଅସୁବିଧା ସବୁଦିନ ପାଇଁ ଲୋପ ପାଇବ । ଆଦିବାସୀ ଗାଁ ଗଣ୍ଡା ଆନନ୍ଦ ମଉଚ୍ଛବରେ ହସି ଉଠିବ ।

Image

 

ମନ ମିଳାଇଲେ ଧନ ମିଳିବ

 

ଆନ୍ଧ୍ର ପ୍ରଦେଶର ଭୂଇଁରେ ଶାଗୁଆ ଫସଲର ଲହରୀ ଖେଳାଇ ଗୋଦାବରୀ ନଈ କୁଳୁ କୁଳୁ ହୋଇ ଆଗକୁ ବହି ଯାଇଛି । ବଙ୍ଗୋପସାଗରର ଓସାରିଆ ନେଳିଆ ଛାତିରେ ନିଜକୁ ମିଶାଦେବା ଆଗରୁ ଗୋଦାବରୀ ଯେମିତି ଅତି ଆଦରରେ ତା’ର ଦୁଇ ହାତ ମେଲାଇ ଦେଇଛି । ତେଣୁ ଚାଳିଶ ମାଇଲ ଦୂର, ସମୁଦ୍ର କୁଳକୁ ଧରି ଏକ ପ୍ରକାଣ୍ଡ ତିନିକୋଣିଆ ଭୂଇଁ ତିଆରି ହୋଇ ଯାଇଛି । ବର୍ଷକର ଅଧିକାଂଶ ସମୟ ଏଠାରେ ପାଣିର ଲୀଳାଖେଳା ଲାଗିଥାଏ । ସେଥିପାଇଁ ଏହାକୁ ତେଲଗୁ ଭାଷାରେ କୋନାସୀମା ବା ଭୂଇଁର ଶେଷ ବୋଲି କୁହାଯାଏ । ଏଇ ଖାଲୁଆ ପାଣି କାଦୁଅ ଅଞ୍ଚଳଟି ଆଜି ସେଠା ଲୋକଙ୍କର ସୁଖଶାନ୍ତି ବଢ଼ାଇ ଦେଇଛି । ଆଉ ସେମାନଙ୍କ ମନରେ ଆଶାର ଇନ୍ଦ୍ରଧନୁ ଆଙ୍କି ଦେଇଛି ।

 

ଏଠାର ଲୋକମାନଙ୍କ ଭିତରୁ ଅଧିକାଂଶ କେଉଟ । ମାଛ ମାରି ସେମାନେ ପେଟ ପୋଷନ୍ତି । ଅଭାବ ଅସୁବିଧା, ରୋଗ ବଇରାଗ ସଦାବେଳେ ଲାଗି ରହିଥାଏ । କାଳ କାଳ ଧରି କେତେଜଣ ମୁଖିଆ ଲୋକ ସେମାନଙ୍କୁ ଶାସନ କରି ଆସୁଥାନ୍ତି । ଏଇପରି ଚାରି ପାଞ୍ଚଜଣ ମୁଖିଆ ଆଜି କାଲିର ପଞ୍ଚାୟତରେ ସଭ୍ୟ ହୋଇଛନ୍ତି । ସେମାନଙ୍କ ପଞ୍ଚାୟତ ସମିତିର ନାମ ନଗରମ୍‌ । ତା’ର ସଭାପତି ଥରେ ମନେ ମନେ ଭାବିଲେ ଏଇ ହତଭାଗା ଲୋକମାନଙ୍କର ଉନ୍ନତି ପାଇଁ ସରକାରଙ୍କୁ ନିବେଦନ କରିବେ ।

 

୧୯୬୧ ମସିହାର ଅକ୍‌ଟୋବର ମାସ । ନଗରମ୍‌ ସମିତିର ସଭାପତି ଭାରତ ସରକାରଙ୍କ ସହଯୋଗ ଓ ଗୋଷ୍ଠି ଉନ୍ନୟନ ବିଭାଗର ଉପମନ୍ତ୍ରୀଙ୍କୁ ଜଣାଇଲେ–‘‘ଏଇ ସମୁଦ୍ରକୂଳିଆ ଅଞ୍ଚଳରେ ବହୁତ କେଉଟ ମାଛମାରି ଚଳନ୍ତି । ଆଉ ଏଠାରେ ଗଭୀର ସମୁଦ୍ରରୁ ପ୍ରଚୁର ମାଛ ମାରିବାର ସୁବିଧା ରହିଛି । ତେଣୁ ଆପଣଙ୍କୁ ଅନୁରୋଧ, ଜଣେ ଭଲ ଜାଣିଥିବା ଲୋକଙ୍କୁ ଏଠାକୁ ପଠାଇବେ । ସେ ଗଭୀର ସମୁଦ୍ରରୁ ମାଛ ଧରିବାପାଇଁ ଥିବା ସୁବିଧା ସୁଯୋଗର ଅନୁଧ୍ୟାନ କରିବେ ।’’

 

ତାଙ୍କର ଅନୁରୋଧ ରକ୍ଷା କରାଗଲା । ଜଣେ ବିଶେଷଜ୍ଞଙ୍କୁ ଏଥିପାଇଁ ପଠାଗଲା । ସେ ଆନ୍ଧ୍ର ସରକାରଙ୍କ ମାଛ ବିଭାଗ ସହଯୋଗର ଅନୁଧ୍ୟାନ କରି ଦେଖିଲେ, ସେଇ ଅଞ୍ଚଳରେ କେତେ ମାଛ ମିଳିପାରିବ ଏବଂ ଏଇ ସୁବିଧାକୁ କିପରି ହାସଲ କରିବାକୁ ହେବ । ଏଥିପାଇଁ ସେ ଗୋଟିଏ ଖୁବ୍‌ ବଡ଼ ଯୋଜନା ଚିଠା କରି ସରକାରଙ୍କୁ ଦେଲେ । ସରକାର ତାକୁ ଗ୍ରହଣ କରି ଯୋଜନାଟିକୁ କାର୍ଯ୍ୟକାରୀ କରିବାକୁ ବାହାରିଲେ । ଏଥିରେ ଅସୁମାରି ଲୋକ ସହଯୋଗ ବି ମିଳିଲା ।

 

କୋନାସୀମା ଅଞ୍ଚଳରେ ଗୋଦାବରୀର ତିନୋଟି ଶାଖାନଦୀ ବହୁଛି । ଆଉ ସେଥିଭିତରେ ଚାରିଶହ ପୋଖରୀ ମଧ୍ୟ ରହିଛି । ଏଠାରେ ଏ ନଦୀଗୁଡ଼ିକର ଲମ୍ୱ ପ୍ରାୟ ଶହେ ମାଇଲ । ବଢ଼ି ବର୍ଷା ସମୟରେ ଏଗୁଡ଼ିକ ଷାଠିଏ ମାଇଲ ବଢ଼ିଯାନ୍ତି । ଉପକୂଳର ସମୁଦ୍ର ପାଣିରେ ଅସଂଖ୍ୟ ଶାଙ୍କୁଚ, ମଗର ଆଦି ବିଷାକ୍ତ ଜୀବ ଥାନ୍ତି । ଇଲିଶି, ଚିଙ୍ଗୁଡ଼ି, ଭେକଟି, ଖଇଙ୍ଗା, ଆଦି ମାଛମାନ ବି ପ୍ରଚୁର ଧରାଯାଆନ୍ତି । ପ୍ରତିବର୍ଷ ମୋଟ ପ୍ରାୟ ବତିଶ ଲକ୍ଷ ଟଙ୍କାର ମାଛ ଧରା ଯାଉଥିଲା । ଏଥିରେ ୮୪ଟି କେଉଟବସ୍ତିର ମୋଟ ପ୍ରାୟ ୪୮ହଜାର ଲୋକ ନିଯୁକ୍ତି ରହିଥାନ୍ତି । ନଈ ଓ ସମୁଦ୍ର କୂଳରେ କେଉଟ ବସ୍ତିଗୁଡ଼ିକ ରହିଥାଏ ଏବଂ ଅଧିକାଂଶ ଗାଁ ଗଣ୍ଡା ଭିତରେ ଯିବା ଆସିବାପାଇଁ ରାସ୍ତାଘାଟର କିଛି ସୁବିଧା ନ ଥାଏ । ସଭ୍ୟ ଜଗତଠାରୁ ବହୁ ଦୂରରେ ନିତାନ୍ତ ଅପରିଷ୍କାର ଓ ଅପରିଚ୍ଛନ୍ନ ଅବସ୍ଥାରେ ସେଇ କେଉଟମାନେ ରହୁଥିଲେ ।

 

ମାଛ ଯାହା ଧରା ଯାଉଥିଲା, ସୁବିଧାରେ ତାକୁ ବାହାରକୁ ବିକ୍ରି ପାଇଁ ପଠାଇବା ସମ୍ଭବ ହେଉ ନ ଥିଲା; କି ତାକୁ ସଞ୍ଚି ରଖିବାର କିଛି ସୁବିଧା ନ ଥିଲା । ପୁରୁଣାକାଳିଆ ରୀତିରେ କିଛି ମାଛ ନିଆଁ ବା ଖରାରେ ଶୁଖାଇ ଯାହା ସାଇତି ରଖୁଥିଲେ । ତେଣୁ ଯେତେ ଶସ୍ତାରେ ହେଉପଛେ ଶୀଘ୍ର ମାଛତକ ବିକି ଦେଇ କେଉଟମାନେ ଯାହା କିଛି ପାଉଥିଲେ । ନିଷ୍ଠୁର ପ୍ରକୃତି ସାଥିରେ ପୁରୁଣା ଥନ୍ତରା ହାତ ହତିଆରକୁ ନେଇ ଲଢ଼େଇ କରି ସେମାନେ ବଡ଼ ବ୍ୟସ୍ତ ଓ କ୍ଳାନ୍ତ ଶ୍ରାନ୍ତ ହୋଇ ପଡ଼ୁଥିଲେ । ପୁରୁଷମାନେ ଜୀବନକୁ ଉପଭୋଗ କରିବାର କିଛି ସୁବିଧା ନ ପାଇ ଦେଶୀ ମଦ ବା ତାଡ଼ି ପିଇବାରେ ଅଭ୍ୟସ୍ତ ହୋଇଥାନ୍ତି । ସେମାନଙ୍କ ରୋଜଗାରର ଚାରି ଭାଗରୁ ତିନିଭାଗ ଏଥିରେ ହିଁ ଉଡ଼ାଇ ଦେଇଥାନ୍ତି ।

 

କୋନାସୀମାର କେଉଟମାନଙ୍କ ଦୁଃଖ କହିଲେ ନ ସରେ । ହରିଜନ, ଆଦିବାସୀମାନଙ୍କଠାରୁ ଆହୁରି ଶୋଚନୀୟ ଅବସ୍ଥାରେ ସେମାନେ ଚଳୁଥିଲେ । ପିଇବା ପାଣି ମୁନ୍ଦାଏ ପାଇବାପାଇଁ, କି ଦେହ ବେମାର ହେଲେ ପାନେ ଔଷଧ ଖାଇବା ସେମାନଙ୍କ ପକ୍ଷରେ କାଠିକର ପାଠ । ସେଠାରେ ପିଲାମାନଙ୍କର ପାଠ ପଢ଼ିବାପାଇଁ ଅବା ଯିବା ଆସିବ କରିବାପାଇଁ କିଛି ସୁବିଧା ନଥିଲା ।

 

ଏଇଥିରୁ ଲୋକଙ୍କ ଆର୍ଥିକ ଅବସ୍ଥା ସହଜରେ ଅନୁମାନ କରାଯାଇପାରେ । ସବୁଠାରେ ଘର ଦୁଆର, ପିଣ୍ଡାତଳ, ଏରୁଣ୍ଡିବନ୍ଧ, ପାହାଚ ପାଖରେ ମାଛ ମିଳୁଥିଲା । କିନ୍ତୁ ସେଗୁଡ଼ିକ ଧରାଯାଉ ନ ଥିଲା । ଯାହା ବା କିଛି ଧରା ଯାଉଥିଲା, ତାହା କେବଳ ମହାଜନ ଆଉ ମଧ୍ୟସ୍ଥ ଲୋକଙ୍କର ଲାଭ ବଢ଼ାଇବାର ସାହାଯ୍ୟ କରୁଥିଲା । ଏମାନେ ମଧ୍ୟ ମାଛର ଯାହା ଇଚ୍ଛା ଦର ଠିକ୍‌ କରି ଦେଉଥିଲେ । ଆଉ ଭୁଲ୍‍ ଓଜନ କରି ବହୁତ ମାଛ ଠକି ନେଉଥିଲେ । ଯେଉଁ ମାଛକୁ ସେମାନେ କିଣୁ ନ ଥିଲେ, ସେଗୁଡ଼ିକ ସଞ୍ଚି ରଖିବାର ବା ଦୂରକୁ ବହିନେବାର ସୁବିଧା ନ ଥିବାରୁ ସଢ଼ି ପଚି ଯାଉଥିଲା ବା ପୁଣି ପାଣିକୁ ଫିଙ୍ଗି ଦେଉଥିଲେ । ଯାହା କିଛି ମାଛ ସେମାନେ ଖରାରେ ଶୁଖାଇ ଶୁଖିଆ କରିବାକୁ ଭାବୁଥିଲେ, ଘନଘନ ଅଚାନକ ବର୍ଷା ହେବା ଫଳରେ ତା ବି ନଷ୍ଟ ହୋଇଯାଉଥିଲା । ହିସାବ କରି ଦେଖାଯାଇଛି ଯେ ସମୁଦାୟ ଧରା ମାଛ ଭିତରୁ ଦଶ ଲକ୍ଷରୁ ଅଧିକ ଟଙ୍କାର ମାଛ ଏମିତି ଖରାପ ହୋଇ ଯାଉଥିଲା ।

 

କୋନାସୀମାର ପ୍ରାୟ ତେର ହଜାର କେଉଟ ଜଣପିଛା ଦିନକୁ ହାରାହାରି ଅଢ଼େଇ କିଲୋ ମାଛ ଧରୁଥିଲେ । ବର୍ଷକ ଭିତରେ ପ୍ରାୟ ଚାରି ପାଞ୍ଚମାସ କେଉଟମାନେ ବେକାର ଘରେ ବସୁଥିଲେ । ସେମାନଙ୍କର ଆଉ କିଛି ରୋଜଗାର ନ ଥିବାରୁ ସେ ସମୟରେ ଆଉ କିଛି ରୋଜଗାର ନ ଥିବାରୁ ସେ ସମୟରେ ସେମାନେ ଭାରି ହଇରାଣ ହେଉଥିଲେ । କିନ୍ତୁ ଅନ୍ୟ ସମୟରେ ମାଛ ଧରି ସେମାନେ ଜଣପିଛା ପ୍ରାୟ ଟ୧.୨୫ ପଇସା ରୋଜଗାର କରୁଥିଲେ, ଯାହାକି ଚଳିବାପାଇଁ ଭାରି ନିଅଣ୍ଟ ହେଉଥିଲା ।

 

ହେଲେ କୋନାସୀମାରେ ଲୋକେ ଆଉ ଅଧିକ ଦିନ ଏପରି ଅବସ୍ଥାରେ ରହିବାକୁ ଚାହିଁଲେ ନାହିଁ । ସେମାନଙ୍କ ଭିତରେ ଆଗେଇବା ପାଇଁ ପ୍ରବଳ ଆଶା ଜାଗି ଉଠିଲା । ଯୁଗ ଯୁଗର ଅଭାବ ଅସୁବିଧା ଦୂର କରି ସେମାନେ ସବୁଦିନ ପାଇଁ ସୁଖସ୍ୱାଚ୍ଛନ୍ଦ୍ୟର ବାଟ ଖୋଲି ଦେବାକୁ ଅଣ୍ଟାଭିଡ଼ି ବାହାରିଲେ । ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପାଖରେ ଦୃଢ଼ ଦାବୀ ଜଣାଇ ସେ ଅଞ୍ଚଳର ଉନ୍ନତିପାଇଁ ଲାଗିପଡ଼ିଲେ । ନିଜ ନିଜ ଭିତରେ ଚାନ୍ଦା ଭେଦା କଲେ । ସରକାରୀ କର୍ମଚାରୀମାନେ ଉପଦେଶ ଦେଲେ । ସମୁଦ୍ର ପାଣିରୁ ସୁନା ଫଳାଇବାର ଆୟୋଜନ ଚାଲିଲା ।

‘‘ଏକତାହିଁ ବଳ’’ ଏଇ ନୀତିବାଣୀ ସତ ଫଳିଲା । କେଉଟମାନେ ସମସ୍ତେ ଏକଜୁଟ ହେଲେ ଓ କୋନାସୀମା ମତ୍ସ୍ୟଜୀବୀ (କେଉଟ) ସମବାୟ କେନ୍ଦ୍ର ସମିତି ଗଢ଼ିଲେ । ୧୯୬୨ ମସିହାରେ ଏହା ପ୍ରଥମେ ୨୮ଜଣ ସଭ୍ୟ ଓ ଦଶ ହଜାର ଟଙ୍କା ମୂଳପାଣ୍ଠି ନେଇ କାର୍ଯ୍ୟ ଆରମ୍ଭ କରିଥିଲା । ରାଜ୍ୟର ମତ୍ସ୍ୟ ବିଭାଗ ଏହି ଅଞ୍ଚଳରେ ମାଛ ନେବା ଆଣିବା କରିବାପାଇଁ ଦୁଇଟି ଟ୍ରକ ଯୋଗାଇ ଦେଲେ । ସେଇ ବିଭାଗର ଜଣେ ଅଭିଜ୍ଞ କର୍ମଚାରୀ ଅବୈତନିକ ଭାବରେ ସମିତିର ପରିଚାଳନା କଲେ ।

 

ତିନିମାସ ଭିତରେ ସହଯୋଗର ଫଳ ଫଳିଲା । ଦଶଟନ୍‍ରୁ ଅଧିକ ମାଛ ଆଉ ଚିଙ୍ଗୁଡ଼ି ରାଜମହେନ୍ଦ୍ରୀ, ନାଗାର୍ଜ୍ଜୁନସାଗର ଓ ହାଇଦ୍ରାବାଦ ପ୍ରଭୃତି ସହରମାନଙ୍କୁ ପଠାଗଲା । ସମବାୟ ସମିତିର ଏପରି କାରବାର ଅନ୍ୟ କେଉଟମାନଙ୍କୁ ଅତ୍ୟନ୍ତ ଆଗ୍ରହୀ କଲା । ଛଅମାସ ଭିତରେ ସଭ୍ୟ ସଂଖ୍ୟା ୮୫କୁ ବଢ଼ିଗଲା, ଆଉ ମୂଳଜମା ଛପନ ହଜାର ଟଙ୍କା ହୋଇଗଲା । ସେଇ ସମିତି ତଳେ ପୁଣି ବତିଶଟି ଶାଖା ସମିତି ଗଢ଼ି ଉଠିଲା । ଏଗୁଡ଼ିକ ଦ୍ୱାରା ଛଅହଜାର ଦୁଇଶହ ଲୋକ ଉପକୃତ ହେଲେ । ମଧ୍ୟମ ବ୍ୟବସାୟୀମାନଙ୍କର ଲାଭକୁ ରୋକିବାପାଇଁ ସେମାନେ ୧୯୬୩ ମସିହାରେ କାକନଡ଼ାଠାରେ ସମିତିର ଗୋଟିଏ ଶାଖା ପ୍ରତିଷ୍ଠା କଲେ । ତା ଫଳରେ ମଝିରେ ଅନ୍ୟ ହାତକୁ ଯାଉଥିବା ପନ୍ଦର ହଜାର ଟଙ୍କା ସମିତିର ସଭ୍ୟମାନେ ଲାଭ କଲେ । ସେଇ ବର୍ଷ କୋନାସୀମା ସମିତି ୨୬୦ଟନ ଶୁଖୁଆ ଆଉ ୩ଲକ୍ଷ ୨୪ହଜାର ଟଙ୍କାର ମାଛ ବିକ୍ରି କରିଥିଲେ । ଏପରି ବାଣିଜ୍ୟ ବ୍ୟବସାୟ ଆଉ ଲାଭ ଗରିବ କେଉଟମାନଙ୍କର କଳ୍ପନାର ବାହାରେ ଥିଲା । ସେମାନଙ୍କର ମନରେ ଆଶା ଓ ଆନନ୍ଦର ଲହଡ଼ି ଖେଳିଗଲା ।

 

ସମବାୟ ସମିତି ଶୀଘ୍ର କଳ-ଡଙ୍ଗା କେତୋଟି କିଣିଲେ । ଶସ୍ତାରେ ସଭ୍ୟମାନଙ୍କୁ ନାଇଲନ ଜାଲ ଦିଆଗଲା । ରାଜ୍ୟ ସରକାରଙ୍କଠାରୁ ଦେଢ଼ଲକ୍ଷ ଟଙ୍କା ଆଉ ଭାରତ ସରକାରଙ୍କଠାରୁ ପାଞ୍ଚ ଲକ୍ଷ ଟଙ୍କା ଋଣ ଆକାରରେ ପାଇଲା । କୋନାସୀମା ଅଞ୍ଚଳରେ ମାଛଚାଷ ଓ ବ୍ୟବସାୟର ଉନ୍ନତି ଉଦ୍ଦେଶ୍ୟରେ ଏସବୁ ଟଙ୍କା ଖର୍ଚ୍ଚ ହେଲା । କେଉଟମାନେ ମଧ୍ୟ ଆନନ୍ଦର ସହିତ ନିଜ ନିଜ ଭିତରେ ଚାନ୍ଦା ଆଦାୟ କରି ମୋଟ ଏକ ଲକ୍ଷ ଟଙ୍କା ଏଥିପାଇଁ ଦେଇଥିଲେ ।

 

୧୯୬୪ ମସିହାରୁ ଏହି ଉନ୍ନତିମୂଳକ କାର୍ଯ୍ୟ ଆରମ୍ଭ କରାଯାଇ ପାଞ୍ଚ ବର୍ଷରେ ଶେଷ କରାଯିବ । ଏଥିରେ ୫୬ ଲକ୍ଷ ଟଙ୍କା ଖର୍ଚ୍ଚ ହେବାର ଯୋଜନା ହୋଇଛି । ବର୍ଷ ଶେଷରେ ଅଧିକ ଏଗାର ହଜାର ଟନ୍‍ ମାଛ ଧରା ଯାଇ ପାରିବ ଏବଂ ଏହା ଫଳରେ ସମିତିର ପ୍ରାୟ ୪୦ଲକ୍ଷ ଟଙ୍କା ଲାଭ ହେବ ।

 

କେଉଟମାନଙ୍କର ସବୁ ପ୍ରକାର ମଙ୍ଗଳପାଇଁ ସମିତି କାର୍ଯ୍ୟ କରୁଛି । କେଉଟମାନଙ୍କ ବିଭିନ୍ନ ଉଦ୍ଦେଶ୍ୟରେ ଟଙ୍କା ଋଣ ଦେବା ସଙ୍ଗେ ସଙ୍ଗେ ଶସ୍ତା ଓ ସୁବିଧାରେ ମାଛ ଧରିବା ଉପକରଣମାନ ଯୋଗାଇ ଦେଉଛି । ଉଚିତ ଦରରେ ମାଛ ବିକ୍ରି କରିବାର ବ୍ୟବସ୍ଥା କରି ଦେଉଛି । ମାଛ ସଞ୍ଚିରଖିବା ଆଉ ସୁବିଧାରେ ଦେଶ ବିଦେଶକୁ ପଠାଇବା କଥା ବୁଝାବୁଝି କରୁଛି । ଏହିପରି ଦେଖିଲେ ମାଛ ଚାଷଠାରୁ ଆରମ୍ଭ କରି ମାଛ ବିକ୍ରି ପର୍ଯ୍ୟନ୍ତ ନାନା କାମରେ ସମିତି କେଉଟମାନଙ୍କୁ ସାହାଯ୍ୟ କରୁଛି । ଆହୁରି ମଧ୍ୟ ସମିତି ସେମାନଙ୍କର ଶିକ୍ଷା, ସ୍ୱାସ୍ଥ୍ୟ ପ୍ରଭୃତି ବିଭିନ୍ନ ମଙ୍ଗଳକର କାର୍ଯ୍ୟରେ ଲାଗି ପଡ଼ିଛି ।

 

କୋନାସୀମା ଯୋଜନା ଆଜି ଖାଲି ସେ ଅଞ୍ଚଳରେ କାହିଁକି ରାଜ୍ୟର ଅନ୍ୟାନ୍ୟ ସ୍ଥାନରେ ଦରିଦ୍ର ଅସହାୟ ମତ୍ସ୍ୟଜୀବୀମାନଙ୍କ ମନରେ ଆଶାର ଆଲୋକ ଜାଳି ଦେଇଛି । ଆଖି ଖୋଲି ଦେଇଛି । ଆନ୍ଧ୍ରପ୍ରଦେଶରେ ଏଇ ଯୋଜନା ପରି କୋଲାର ହ୍ରଦ ଓ ଦେବୀସୀମା ନାମକ ଆଉ ଦୁଇଟି ବଡ଼ ସମବାୟ ମତ୍ସ୍ୟ ଯୋଜନା କାର୍ଯ୍ୟକାରୀ ହେଉଛି । ସେଥିରେ କୋଟି କୋଟି ଟଙ୍କା ଖର୍ଚ୍ଚ ହେବ, ଆଉ ଲୋକଙ୍କର ଦୁଃଖ ଦୂର କରି ସୁଖର ସୁଅ ଛୁଟାଇ ଦେବ । ଏବେ ସମସ୍ତେ ଭଲ ଭାବରେ ବୁଝିଲେଣି ଯେ ସମବାୟ ସମିତି ସବୁରି ସୁଖଶାନ୍ତିର ମୂଳ । ମନ ମିଳାଇଲେ ଖାଲି ଧନ ମିଳିବ ନାହିଁ, ଦିନ ବି ବଦଳି ଯିବ । ଦୁର୍ଦ୍ଦିନର କଳା ଅନ୍ଧାର ଲୁଚି ସୁଦିନର ସୂର୍ଯ୍ୟ ହସି ଉଠିବ ।

Image

 

ଗପପରି ଲାଗିଲେ ବି ନିରାଟ ସତକଥା

 

ପଞ୍ଜାବର କର୍ଣ୍ଣଲ ଜିଲ୍ଲାରେ ଗୋଟିଏ ମଧ୍ୟମ ଧରଣର ଗାଁ । ବେଶି ବଡ଼ ନୁହେଁ, କି ବେଶି ଛୋଟ ନୁହେଁ । ସମୁଦାୟ ୧୧୭ଟି ଘରର ଲୋକ ସେଠାରେ ବାସିନ୍ଦା । ପ୍ରତି ଶହେ ଗ୍ରାମବାସୀଙ୍କ ମଧ୍ୟରୁ ଅଶୀଜଣ ଚଷାଜାତିର, ଯେଉଁମାନେ ଭଲ ଫସଲ କରିବାରେ ବହୁଦିନରୁ ସୁନାମ ଅର୍ଜନ କରିଛନ୍ତି । ଆଉ ଅନ୍ୟମାନେ ହରିଜନ ଓ ଉଚ୍ଚ ଜାତିର ଲୋକ । ଗାଁରେ ଯେତେ ଜମି ଅଛି ସେ ସବୁ ସେଇ ଚଷାମାନଙ୍କର । ଅନ୍ୟମାନେ ସମସ୍ତେ ଭୂମିହୀନ । ବାଷଠି ପରିବାର ପାଞ୍ଚ ଏକରରୁ ଅଠର ଏକର ଯାଏ ଜମିର ମାଲିକ । ସେ ଗାଁର ମୋଟ ଚାଷ ଜମିର ପରିମାଣ ହେଉଛି ଏକ ହଜାର ଆଠ ଶହ ଏକର ।

 

ଚାଷହିଁ ଗାଁ ଲୋକଙ୍କର ପ୍ରଧାନ ବେଉସା । ଗୋରୁ ଗାଈ ମଇଁଷି ପାଳିବା ହେଉଛି ସେମାନଙ୍କର ଦ୍ୱିତୀୟ ବେଉସା । ଯେଉଁଥିରୁ ସେମାନେ ବେଶ୍‌ ଦି ପଇସା ରୋଜଗାର କରନ୍ତି । ପ୍ରାୟ ସବୁଘରେ ମଇଁଷି । ପାଖ ସହରରୁ ବେପାରୀ ଲୋକେ ଆସି ସେମାନଙ୍କଠାରୁ ବଳକା ଦୁଧତକ କିଣି ନିଅନ୍ତି । ଜମିହୀନ ଲୋକେ ଜମି ଥିବା ଲୋକଙ୍କର କ୍ଷେତରେ କାମ କରନ୍ତି, ଆଉ ତାଙ୍କର ସ୍ତ୍ରୀମାନଙ୍କର ଗୋରୁ ମଇଁଷି ଜଗାଜଗି କରନ୍ତି ।

 

୧୯୪୦ ମସିହାର କଥା । ସହଯୋଗ ସମିତି ଗୁଡ଼ିକର ହାକିମ ସେ ଗାଁ ଆଡ଼େ ବୁଲି ଆସିଥିଲେ । ସେ ଏଇ ସମୟରେ ସେ ଗାଁରେ ଗୋଟିଏ ସହଯୋଗ ସମିତି ଗଢ଼ିବାକୁ ଇଚ୍ଛାକଲେ-। ଗାଁ ଲୋକଙ୍କ ସହିତ ଏ ବିଷୟରେ ଆଲୋଚନା କଲେ । ଏମିତି ସହଯୋଗ ସମିତିରୁ କି କି ଲାଭ ମିଳିବ କ’ଣ ସବୁ ସୁବିଧା ହେବ, ବୁଝାଇ ଦେଲେ । ଗାଁର ମୁଖିଆ ସମିତିଟିଏ ଗଢ଼ିବାକୁ ରାଜି ହେଲେ । ଲୋକମାନେ ମଧ୍ୟ ଏଥିରେ ଆଗ୍ରହ ପ୍ରକାଶ କଲେ ।

 

ସେହି ବର୍ଷ ଡିସେମ୍ୱର ମାସରେ ସମିତିଟିଏ ଗଢ଼ାଯାଇ ରେଜେଷ୍ଟ୍ରି କରାଗଲା । ପ୍ରଥମେ କୋଡ଼ିଏ ଜଣ ଲୋକ ଏଥିରେ ସଭ୍ୟ ହେଲେ ଏବଂ ତାଙ୍କର ଅଂଶ ବାବଦରୁ ଏକଶହ ପନ୍ଦର ଟଙ୍କା ଆଦୟ ହେଲା । ସମିତିଟି କର୍ଣ୍ଣଲର କେନ୍ଦ୍ର ସହଯୋଗ ବ୍ୟାଙ୍କରେ ଯୋଡ଼ି ଦିଆଗଲା । ଗାଁର ମୁଖିଆ ହେଲେ ସଭାର ପୁଞ୍ଜି ରକ୍ଷକ । ୧୯୪୧ ମସିହାର ଶେଷ ଭାଗରେ କେନ୍ଦ୍ର ବ୍ୟାଙ୍କରୁ ତିନି ହଜାର ଟଙ୍କା କରଜ ଆସିଲା । ଆଉ ସମିତିର ସମସ୍ତ ସଭ୍ୟଙ୍କ ଭିତରେ ତାହା ବାଣ୍ଟି ଦିଆଗଲା ।

 

୧୯୪୨ ମସିହାରେ ସେଇ ଗାଁକୁ ରାଜ୍ୟର ଜଣେ ଭଦ୍ରଲୋକ ଉଠି ଆସିଲେ । ଗାଁ ମୁଣ୍ଡରେ ନିଜର ଗୋଟିଏ କ୍ଷେତ-ଖମାର କରି ସେଠାରେ ସବୁଦିନ ପାଇଁ ରହିଲେ । ପ୍ରଥମେ ସେ କେତେଦିନ ପାଇଁ ଘର ଦି’ବଖରା ତୋଳି ସେଠାରେ ରହିଥିଲେ । ପରେ ପିଲାପିଲିଙ୍କୁ ସେଠାକୁ ନେଇ ସେ ଭଲ ଭାବରେ ବାସ କଲେ । ଗାଁ ମୁଣ୍ଡରେ ଏମିତି ନିର୍ଜନିଆ ସ୍ଥାନରେ ସେ ଘର କରି ରହିବାର ଦେଖି ସମସ୍ତେ ଭାରି ବିସ୍ମିତ ହେଲେ । ସେ ଗାଁର ବହୁଲୋକ ଆଶଙ୍କା କଲେ ଯେ ସେ ବିଚରା କେତେବେଳେ ସେଇ ଜାଗା ଛାଡ଼ି ଛାଟିପିଟି ହୋଇ ପଳାଇବେ । କିନ୍ତୁ ପ୍ରକୃତରେ ତାହା ହେଲା ନାହିଁ । ସେ ଯେ ଖାଲି ସେଠାରେ ଗାଦିମାଡ଼ି ବସିଲେ ତାହା ନୁହେଁ, ଗାଁ ଲୋକଙ୍କ ଭିତରେ ସଦ୍‌ଭାବ ରଖି ସେଠାରେ ଗୋଟିଏ ସୁନ୍ଦର ମଧୁର ଆବହାଓ୍ୱା ସୃଷ୍ଟି କରିଦେଲେ । ବିଶେଷ କରି ଜମିହୀନ ଲୋକମାନେ ତାଙ୍କ କ୍ଷେତରେ କାମଦାମ କରିବାକୁ ଭାରି ପସନ୍ଦ କଲେ । ସରକାରୀ କର୍ମଚାରୀମାନଙ୍କ ଉପରେ ସେ ଖୁବ୍‌ପ୍ରଭାବ ବିସ୍ତାର କରି ପାରୁଥିଲେ । ତେଣୁ ସରଳ ଗାଁ ଲୋକେ ତାଙ୍କୁ ଭାରି ଡରୁଥିଲେ ।

 

ଭଦ୍ରଲୋକ ଜଣକ ଗାଁ ମୁଣ୍ଡରେ ଆସ୍ତେ ଆସ୍ତେ ବିରାଟ ଆୟୋଜନ କରିବାରେ ଲାଗିଲେ । କ୍ଷେତ-ଖମାର ସରସ ସମୃଦ୍ଧ ହୋଇ ଉଠିଲା । ଭଲ ଭାବରେ ଚାଷ କାମ କରିବାପାଇଁ ଗୋଟିଏ ଟ୍ରାକ୍‌ଟର କିଣିବା ଓ ନଳକୂଅ ବସାଇବା ପାଇଁ ମନ କଲେ । ଏଥିପାଇଁ ତ ବହୁତ ଟଙ୍କା ଲୋଡ଼ା । ସେ ସରକାରଙ୍କଠାରୁ ଯାହା ଋଣ ପାଇଲେ ତାହା କୁଳେଇଲା ନାହିଁ । ମଫସଲ ମହାଜନଙ୍କ ଠାରୁ କରଜ କରିବା ତାଙ୍କ ମାନମର୍ଯ୍ୟାଦା ଦୃଷ୍ଟିରୁ ଖୁବ୍‌ ତଳେ ବୋଲି ସେ ଭାବୁଥିଲେ ।

 

୧୯୪୩ ମସିହା ମାର୍ଚ୍ଚ ମାସ ସୁଦ୍ଧା ସମବାୟ ସମିତିର ସଭ୍ୟମାନେ ସେମାନଙ୍କର ଋଣତକ ପରିଶୋଧ କରିଦେବା କଥା । କିନ୍ତୁ ସେମାନଙ୍କୁ ଏହା ଆଗରୁ ଜଣାଇ ଦିଆ ଯାଇ ନ ଥିଲା । ଥରେ ସହଯୋଗ ବିଭାଗର ସ୍ଥାନୀୟ କର୍ମଚାରୀ ଆସି ଗାଁର ମୁଖିଆଙ୍କୁ ଏକଥା କହି ଯାଇଥିଲେ । ସେ ଅନ୍ୟ ସମସ୍ତଙ୍କୁ ଏହା ଜଣାଇ ଦେବାର କଥା । କିନ୍ତୁ ସେ ଏହା କରିବାକୁ ଭୁଲିଗଲେ । ତେଣୁ ବ୍ୟାଙ୍କକୁ ଋଣ ଟଙ୍କା ଫେରସ୍ତ ଦିଆ ନ ଯାଇ ପରିଶୋଧ ଶେଷ ତାରିଖ ଖିଲାପ ହେଲା । ଫଳରେ ସମିତିର ନାମ ବକେୟା ତାଲିକାରେ ଉଠିଲା । ତେଣୁ ଜିଲ୍ଲା ସହଯୋଗ କର୍ମକର୍ତ୍ତା ଖିଲାପ ହେଲା । ଫଳରେ ସମିତିର ନାମ ବକେୟା ତାଲିକାରେ ଉଠିଲା । ତେଣୁ ଜିଲ୍ଲା ସହଯୋଗ କର୍ମକର୍ତ୍ତା ସ୍ଥାନୀୟ କର୍ମଚାରୀଙ୍କୁ କୈଫିୟତ ତଲବ କଲେ ।

 

ସ୍ଥାନୀୟ ସହଯୋଗ କର୍ମଚାରୀଙ୍କ ରାଗ ଯାଇ ପଞ୍ଚମରେ ଉଠିଲା । ସେ ବିରକ୍ତ ହୋଇ ସେ ଗାଁକୁ ଫେରିଲେ । ସମିତିର କାଗଜପତ୍ର ସବୁ ନିଜେ ଯାଞ୍ଚ କଲେ; ଆଉ କିସ୍ତିଖିଲାପ ଅପରାଧରେ କରଜ ଉପରେ ଶତକଡ଼ା ୫୦ ହାର ଜୋରିମାନା ସାବ୍ୟସ୍ତ କରିଦେଲେ । ଏମିତିକି ପୁଞ୍ଜିରକ୍ଷକଙ୍କ ପାଖରେ ଥିବା ଟ୨୦୦ଙ୍କାର ଜମା, ଯାହାକି କାହାକୁ କରଜ ଦିଆ ନ ଯାଇ ରହିଥିଲା, ତା’ପରେ ଏଇ ହାରରେ ଜୋରିମାନା ବି ଲଦି ଦିଆଗଲା । ସହଯୋଗ କର୍ମଚାରୀ ନିଜ କାମକୁ ପକ୍‌କା କରିବାପାଇଁ ସମିତିର ସବୁ କର୍ମକର୍ତ୍ତାଙ୍କ ଠାରୁ କାଗଜପତ୍ର ଉପରେ ସନ୍ତକ କରାଇ ନେଲେ । ଗାଁ ଲୋକେ ଏସବୁ କାଣ୍ଡ କାରଖାନା ଦେଖି ଛାନିଆଁ । ଯାହାହେଉ ସେମାନେ ଯେ କୌଣସି ମତେ ନାନା ଫନ୍ଦିଫିକର କରି ଟଙ୍କା ଯୋଗାଡ଼ କଲେ । ଆଉ ଜୋରିମାନା ସହିତ ସୁଧ ମୂଳ ସବୁ ସୁଝିଦେଲେ ।

 

ପରେ ପରେ ଦିନେ ସମିତିର ପୁଞ୍ଜିରକ୍ଷକ କର୍ଣ୍ଣଲ ଯାଇ ଜିଲ୍ଲା ସହଯୋଗ ହାକିମଙ୍କୁ ଦେଖା କଲେ; ଆଉ ସମିତିର ସବୁ କାଗଜପତ୍ର ତାଙ୍କ ଆଗର ରଖିଦେଲେ । ଗାଁର ମୁରବି ସଫା ସଫା କହିଦେଲେ ‘‘ଗାଁ ଲୋକେ ଆଉ ଏମିତି ସହଯୋଗ ସମିତି ଦରକାର କରୁ ନାହାନ୍ତି । ଗଙ୍ଗା ଗଲୁ ଯେତିକି, ଫଳ ପାଇଲୁ ସେତିକି ।’’ ସହଯୋଗ ବିଭାଗର ଜିଲ୍ଲା ହାକିମବାବୁ ବଡ଼ ବ୍ୟସ୍ତ ହୋଇ ପଡ଼ିଲେ । ସମିତିର କାଗଜପତ୍ର ନେଇ ଗାଁକୁ ଫେରଯିବାକୁ ଯେତେ ବୁଝାଇଲେ ମଧ୍ୟ ଗାଁର ମୁଖିଆ ଜମା ବୁଝିଲେ ନାହିଁ ।

 

ତାପରେ ହାକିମ ଗାଁ ମୁଣ୍ଡରେ କ୍ଷେତ-ଖମାର କରି ରହୁ ଥିବା ଭଦ୍ରବ୍ୟକ୍ତିଙ୍କୁ ଦେଖାକଲେ । ଆଉ ସମିତିର ସଭାପତି ହେବାକୁ ଅନୁରୋଧ କଲେ । ଭଦ୍ରବ୍ୟକ୍ତି ଜଣଙ୍କ ସମିତିର ପୂର୍ବ ଇତିହାସ ଭଲ କରି ଜାଣିଥିଲେ । ସେ କିନ୍ତୁ ନିଜର କିଛି ସୁବିଧା କରିବା ପାଇଁ ସେଇ ମଉକା ଛାଡ଼ିବାକୁ ଅରାଜି ହେଲେ । ସେ ତେଣୁ ସମବାୟ ବିଭାଗର ହାକିମ ଠାରୁ ସମିତିର ସବୁ କାଗଜପତ୍ର ଆଣି ଗାଁର ମୁଖିଆ ଯିଏ କି ଆଗରୁ ସମିତିର ପୁଞ୍ଜିରକ୍ଷକ ହୋଇଥିଲେ ତାଙ୍କୁ ଯାଚିଲେ-। କିନ୍ତୁ ମୁଖିଆ ଆଉ ସେ ଜଞ୍ଜାଳ ମୁଣ୍ଡାଇବାକୁ ମନା କରିଦେଲେ ।

 

ତେଣୁ ଭଦ୍ରବ୍ୟକ୍ତି ସମିତିର ସବୁ କାଗଜପତ୍ର ନିଜ ଦାୟିତ୍ୱରେ ରଖିଲେ, ଆଉ ସଭାପତି ହେବା ସଙ୍ଗେ ସଙ୍ଗେ ଅନୁଷ୍ଠାନର ସର୍ବେସର୍ବା ହେଲେ । ସମିତି ପାଇଁ ପାଞ୍ଚହଜାର ଟଙ୍କାର ଋଣ ମଞ୍ଜୁର କରହେଲା । କିନ୍ତୁ କେହି ଆଉ ସମିତିରୁ କରଜ ନେବାକୁ ଇଚ୍ଛାକଲେ ନାହିଁ । ବହୁତ ଦିନ ଅପେକ୍ଷା କରାଗଲା । ଋଣ ନେଇ ଚାଷବାସର ସୁବିଧା କରିବାକୁ ଗ୍ରାମବାସୀମାନଙ୍କୁ ବୁଝାଇ ଦିଆଗଲା । କିନ୍ତୁ ଥରେ ଯେଉଁ ଶିକ୍ଷାମିଳିଛି, ସେ ଶିକ୍ଷା ସହଜରେ ଭୁଲିଯିବାର ନୁହେଁ । ଅନେକ ଦିନପରେ ସ୍ଥାନୀୟ ସହଯୋଗ କର୍ମଚାରୀଙ୍କ ସାହାଯ୍ୟରେ ସମିତିର ସଭାପତି ସମସ୍ତ ସଭ୍ୟଙ୍କ ପାଇଁ ଋଣ ଦରଖାସ୍ତ ତିଆରି କଲେ । ବ୍ୟାଙ୍କରୁ ଟଙ୍କାତକ ଆସିଲା । ଆଉ ଲୋକମାନଙ୍କୁ ଋଣ ଦିଆଗଲା ବୋଲି କାଗଜପତ୍ରରେ ଲେଖି ଦିଆଗଲା । କିନ୍ତୁ ପ୍ରକୃତରେ କେହି ଟଙ୍କାଟିଏ କରଜ ସୁଦ୍ଧା ନେଇ ନ ଥିଲେ । ସବୁଟଙ୍କା ସଭାପତି ନିଜ କ୍ଷେତର ଉନ୍ନତିରେ ଲଗାଇଲେ ।

 

ଠିକ୍‌ ସମୟରେ ଋଣ ପରିଶୋଧ କରିବାର ବେଳ ଆସିଲା । ସଭାପତି ସବୁତକ ଋଣଟଙ୍କା ଉପଯୁକ୍ତ ସୁଧ ସହିତ ସୁଝିଦେଲେ । ତାପରେ ସପ୍ତାହେ କି ପନ୍ଦର ଦିନ ପରେ ପୁଣି ହଜାର ହଜାର ଟଙ୍କା କରଜ ଆସିଲା । ପୂର୍ବପରି ସଭାପତି ଅନ୍ୟମାନଙ୍କ ନାଁରେ ପୂରଣକରି ନିଜେ ସବୁ ଟଙ୍କା କରଜ ନେଲେ । ବର୍ଷକପରେ ବର୍ଷ ଏମିତି ଚାଲିଲା । ସମତିର ସଭ୍ୟମାନେ ଏଥିରେ ତିଳେହେଲେ ମୁଣ୍ଡ ଘୂରାଇଲେ ନାହିଁ । ଗାଁ ମୁଖିଆ ଏ ସବୁ କଥା ଜାଣି ସୁଦ୍ଧା ନାନା କାରଣରୁ ଚୁପ୍‍ ହୋଇ ରହୁଥିଲେ ।

 

ଏସବୁ ଟଙ୍କାରେ ସଭାପତି ନିଜ କ୍ଷେତ-ଖମାରରେ ଏହି ସମୟ ଭିତରେ ଦୁଇଟି ନଳକୂଅ ବସାଇଲେ । ଗୋଟିଏ ଭଲ କଳ ଲଙ୍ଗଳ (ଟ୍ରାକ୍‌ଟର) ଓ ଅନ୍ୟାନ୍ୟ ଚାଷ ଉପକରଣ କିଣିଲେ । ଏମିତି ଉନ୍ନତି ହେଲା ଯେ ଲୋକେ କହିଲେ ‘‘ଗାଁ ମୁଣ୍ଡ ଖମାରରେ ସୁନାର ଫସଲ ଫଳୁଛି ।’’ ସଭାପତିଙ୍କ ରୋଜଗାର ଖୁବ୍‌ ବଢ଼ିଗଲା । ଦଶଟା ବର୍ଷ ଭିତରେ ସେ ସୁଧ ସହିତ ସବୁତକ ଋଣଟଙ୍କା ସୁଝି ଦେଇ ନିଜ କ୍ଷେତରେ ଆଉ ଅଧିକ ଟଙ୍କା ଖଟାଇବାକୁ ସମର୍ଥ ହୋଇ ପାରିଲେ । ଏଇ ଭିତରେ ସହଯୋଗ ସମିତି ଅଧିକ ଋଣ ନେଇ ଯଥା ସମୟରେ ସବୁ ପରିଶୋଧ କରି ଦେଇ ପାରି ଥିବାରୁ କର୍ମଚାରୀମାନଙ୍କ ତୁଣ୍ଡରେ ସମିତିର ପ୍ରଶଂସା ଖେଳିଗଲା । ପ୍ରତି ବର୍ଷ ଶେଷରେ ସମିତିର ଲାଭ ମଧ୍ୟ ହିସାବ କରି ଦେଖାଗଲା ।

 

୧୯୫୭-୫୮ ମସିହାରେ ଅଞ୍ଚଳରେ ଉନ୍ନୟନ ବ୍ଳକ୍‍ର କାର୍ଯ୍ୟ ଜୋରସୋରରେ ଚାଲିଲା । ଗ୍ରାମସେବକ, ଚାଷ ସହଯୋଗ ପ୍ରଭୃତି ବିଭାଗର ସଂପ୍ରସାରଣ କର୍ମଚାରୀମାନେ ଗାଁର ଉନ୍ନତିପାଇଁ ଲାଗି ପଡ଼ିଲେ । କିନ୍ତୁ ସମସ୍ତେ ଏକ ସ୍ୱରରେ ସମିତି ସଭାପତିଙ୍କ ସରସ କ୍ଷେତର୍‌ ତାରିଫ କଲେ । ସେଇ ଅଞ୍ଚଳରେ ସଭାପତି ମହାଶୟ ଜଣେ ନାମଜାଦା ଆଗୁଆ ଚାଷୀ ଭାବରେ ସୁନାମ ପାଇଲେ । ସରକାରୀ କର୍ମଚାରୀମାନେ ଯେତେବେଳେ ସେ ଗ୍ରାମବାସୀମାନଙ୍କୁ ସହଯୋଗର ସୁଫଳ ବିଷୟେ ବୁଝାନ୍ତି, ସେମାନେ ତାକୁ ଏ କାନରେ ପୂରାଇ ସେ କାନରେ ବାହାର କରି ଦିଅନ୍ତି ।

 

ସମିତିର ସଭାପତି ପୁଣି ସେ ପଞ୍ଚାୟତର ସରପଞ୍ଚ ଭାବରେ ବଛାଗଲେ । ସେ ଆଉ ନିଜ ପାଇଁ ସମିତିର ଋଣ ନେବାକୁ ଇଚ୍ଛା କଲେ ନାହିଁ । କିନ୍ତୁ ଗାଁର ଲୋକମାନଙ୍କୁ ସଫା ସଫା ବୁଝାଇ ଦେଲେ, ‘‘ଭାଇମାନେ, ମୁଁ ନିଜେ ସମିତିର ଋଣ ଟଙ୍କା ନେଇ କ୍ଷେତର ଏପରି ଉନ୍ନତ କରି ପାରିଲି । ଆପଣ କାହିଁକି ତା କରି ପାରିବେ ନାହିଁ ? ଏଥିରେ କିଛି ଭୟ କରିବାର ନାହିଁ । କରିପାରିଲେ ସବୁ ଭଲ ହେବ । ଚାଲି ନ ଜାଣି ବାଟର ଦୋଷ ଦେଇ ଲାଭ ନାହିଁ । କଥାରେ ପରା ଅଛି, କହି ଜାଣିଲେ କଥା ସୁନ୍ଦର, କରି ଜାଣିଲେ କାମ ସୁନ୍ଦର । ସଭ୍ୟମାନ ହିଁ ସମିତିର ମେରୁଦଣ୍ଡ, ସହଯୋଗର ଜୀବନୀଶକ୍ତି । ତେଣୁ ଆପଣମାନେ ମନ କଲେ ସମିତିକୁ ସୁନ୍ଦର କରି ଗଢ଼ି ପାରିବେ; ଆଉ ଆପଣମାନେ ଏଥିରୁ ବହୁ ଉପକାର ପାଇ ପାରିବେ ।’’

କିନ୍ତୁ ‘‘ଯେତେ କହିଲେ ଭାଗବତ, ତୋଷ ନୋହିଲା ମୋର ଚିତ୍ତ’’ । ଗାଁ ଲୋକ ଥରେ ଯେଉଁ ଦଗା ଖାଇଛନ୍ତି, ଆଉ ତାକୁ ଭୁଲି ପାରୁ ନ ଥାନ୍ତି । ମନରେ ସେଇ ପୁରୁଣା ଭୂତର ଭୟ ଘାରୁଥିଲା । ଶେଷରେ ସଭାପତି କହିଲେ ଯେ ସେମାନଙ୍କୁ ଚଳାଇନେବେ । ସବୁ ଅସୁବିଧାରୁ ରକ୍ଷା କରିବେ । ସେମାନଙ୍କର କିଛି କ୍ଷତି ହେବ ନାହିଁ । ତେବେ ସୁଦ୍ଧା ସମିତିରେ କେହି ଋଣ ନେବାକୁ ମଙ୍ଗିଲେ ନାହିଁ, କି ନିଜର କିଛି ସୁବିଧା କରିବାକୁ ସାହସ କଲେ ନାହିଁ ।

ସେଇ ସମବାୟ ସମିତିକୁ ପୁଣି ସେବା ସମବାୟ ସମିତି ରୂପରେ ଗଢ଼ାଗଲା । ବ୍ଳକର ସହଯୋଗ କର୍ମଚାରୀମାନେ ଆସି ଗାଁ ଲୋକମାନଙ୍କୁ ଏଇ ସେବା ସମବାୟର ଉପକାର ବୁଝିଲେ-। ସେମାନଙ୍କ ଭିତରୁ କେତେଜଣ ସମିତିର ନୂଆ ସଭ୍ୟ ହେଲେ ।ସଭାପତି ଏବେ ମନ ପ୍ରାଣ ଦେଇ ଲୋକମାନଙ୍କୁ ବାଟ ବତାଇଲେ । ସେବା ସମବାୟ ସମିତି ତରଫରୁ ଚାଷୀମାନଙ୍କୁ ଭଲ ବିହନ, ସାର ଆଦି ଯୋଗାଇ ଦିଆଗଲା । ସଭାପତି ନିଜେ ମଧ୍ୟ ସେଥିରୁ ସେସବୁ ଜିନିଷ କିଣିଲେ-। ତାଙ୍କୁ ଦେଖି ଆଉ କେତେକ ବଡ଼ ଚାଷୀ ମଧ୍ୟ ସମିତିରୁ କିଣାକିଣି କଲେ । ଅନ୍ୟମାନଙ୍କର ଆଖି ମଧ୍ୟ ପଡ଼ିଲା ।

ଏବେ ସମିତିରେ ଚାଳିଶ ଜଣରୁ ଅଧିକ ସଭ୍ୟ ହେଲେଣି । ସେମାନେ ସମସ୍ତେ ଚାଷୀ-। ଏବେ ସମିତିର ଋଣ ପରିମାଣ ଦୁଇହଜାର ଦୁଇଶହ ଭିତରେ ରହିଥିଲେ ସୁଦ୍ଧା ସଭ୍ୟମାନଙ୍କ ଦାବୀ ଯୋଗୁ ପାଞ୍ଚହଜାର ଟଙ୍କାକୁ ବଢ଼ିଚି । ସମସ୍ତେ ସମିତିରୁ କରଜ ନେଇ ଚାଷର ଉନ୍ନତି ପାଇଁ ଲାଗି ପଡ଼ିଛନ୍ତି । ମହାଜନର ଋଣ ସବୁ ସେମାନେ ସୁଝି ଦେଲେଣି । ପନ୍ଦରଜଣ ଚାଷୀ ନିଜ କ୍ଷେତରେ ପାଣି ମଡ଼ାଇବାକୁ ଗୋଟିଏ ଲେଖାଏଁ ନଳକୂଅ ବସାଇଲେଣି । ସମିତି ଜରିଆରେ କେତେକ ଦାମିକା ଉନ୍ନତ ଚାଷ ଉପକରଣ କିଣାଯାଇଛି । ଚାଷୀମାନେ ସମସ୍ତେ ନିଜନିଜ କ୍ଷେତରେ ସେଗୁଡ଼ିକ ବ୍ୟବହାର କରୁଛନ୍ତି । ସଭ୍ୟମାନଙ୍କୁ ଭଲ ବିହନ, ସାର ଓ କୀଟନାଶକ ଔଷଧମାନ ଯୋଗାଇ ଦେବା ପାଇଁ ସମିତି ତରଫରୁ ଗୋଟିଏ ଷ୍ଟୋର ଖୋଲାଯାଇଛି-

ଥାନେଶ୍ୱର ସହରରେ ଥିବା ବିକ୍ରୟ ସମିତି ସହିତ ଏହି ସମିତି ସମ୍ପର୍କ ବାନ୍ଧିଛି । ଫଳରେ ଚାଷୀମାନଙ୍କର ଉତ୍ପନ୍ନ ଶସ୍ୟ ଓ ପନିପରିବା ସୁବିଧାରେ ବିକ୍ରି ହୋଇ ପାରୁଛି । ୧୯୪୨ ମସିହାରେ ଏଇ ସମିତିର ମୂଳପାଣ୍ଠି ୧ ହଜାର ୬୬୫ ଟଙ୍କା ଥିଲା । କିନ୍ତୁ ୧୯୬୪ ମସିହାରେ ତାହା ୨୬ ହଜାର ୧୩୫ ହୋଇଥିଲା । ସବୁଦିଗରୁ ସମିତିଟି ଚାଷୀମାନଙ୍କର ଆସ୍ଥାଭାଜନ ହୋଇ ପାରିଛି । ସବୁରକମ ଉନ୍ନତିର ବାଟ ଫିଟାଇ ଦେଇଛି । ଆଜି ପଞ୍ଜାବର ସେଇ ସେବା ସମିତି ସତରେ ଯେମିତି ନାନା ପରିସ୍ଥିତି ଭିତରେ ଆଗେଇ ଚାଲିଛି, ତାହା ଗୋଟିଏ ଗପ ପରି ଲାଗିବ । କିନ୍ତୁ ପ୍ରକୃତରେ ସଭାର ସଭ୍ୟମାନେ ମନ ମିଳାଇ ସହଯୋଗରେ ପୂରା ଆସ୍ଥା ରଖି କାମ କରିବାରୁ ଯାଇ ସମିତିର ଏମିତି ସୁଫଳ ଫଳିଛି । ସେମାନେ ସମସ୍ତେ ବୁଝିଛନ୍ତି, ଚାଲି ନ ଜାଣି ବାଟର ଦୋଷ, ଆଉ କାଟି ନ ଜାଣି କଟୁରୀ ଦୋଷ ଦେବା ପରି ସମିତିର ଦୋଷଯାକ ଖାଲି ଖୋଜି ବସିଲେ କାହାର ମଙ୍ଗଳ ହେବନାହିଁ । ଠିକ୍‌ ମତେ କାମ ନ କଲେ ସମିତିର ସୁଫଳ ବଦଳରେ କୁ-ଫଳ, ଆଉ ଲାଭ ବଦଳରେ କ୍ଷତି ହିଁ ସହିବାକୁ ହେବ । କିନ୍ତୁ ସମିତିକୁ ନେଇ ଆଣି ଥୋଇ ପାରିଲେ ସୁନାର ଖଣି ପରି ତାହା ସବୁରି ସୁଖର ଭଣ୍ଡାର ଖୋଲିଦେବ ।

Image

 

ସହଯୋଗ ଆଜି ସୁଖ ସ୍ୱପ୍ନ ଦେଇଛି

 

ବହୁ ବର୍ଷ ତଳେ ଆମ ଓଡ଼ିଶାର ଜଣେ କବି ରାଧାନାଥ ରାୟ ଗାଇଥିଲେ–

 

‘‘ଉତ୍କଳ-କମଳା-ବିଳାସ-ଦୀର୍ଘିକା,

ମରାଳ ମାଳିନୀ ନୀଳାମ୍ୱୁ ଚିଲିକା ।’’

 

କବି ସେତେବେଳେ ଚିଲିକାର ସୌନ୍ଦର୍ଯ୍ୟ ଆଉ ସେଠାରେ ଲକ୍ଷ୍ମୀଙ୍କର ଅସଂଖ୍ୟ ବାହାନ ହଂସ ରାଜହଂସର ଲୀଳାଖେଳା ଦେଖି ଉତ୍କଳ ଲକ୍ଷ୍ମୀଙ୍କର ବିଳାସ ସ୍ଥଳ ବୋଲି ଭାବିଥିଲେ-। କିନ୍ତୁ ଏବେ ଆମେ ଦେଖୁଚୁ, ଚିଲିକା ଖାଲି ଗୋଟିଏ ସୁନ୍ଦର ବିଳାସ ସ୍ଥାନ ନୁହେଁ; ଏହା ପ୍ରକୃତରେ ଓଡ଼ିଶାର ଲକ୍ଷ୍ମୀଭଣ୍ଡାର । ପ୍ରତିବର୍ଷ ହଜାର ହଜାର ଦର୍ଶକ ବାହାରୁ ଆସି ଚିଲିକା ହ୍ରଦର ଶୋଭା-ସମ୍ପଦ ଦେଖି ମୁଗ୍‌ଧ ହୁଅନ୍ତି । ଚିଲିକାରୁ କୋଟି କୋଟି ଟଙ୍କାର ମାଛ କଙ୍କଡ଼ା ଆଦି ଧରାଯାଇ ବିକ୍ରି କରାଯାଏ । ଏପରିକି ଚିଲିକାରେ ଗୋଟିଏ ମାଛରୁ ଏକ ସାରବାନ ତେଲ ଆଉ ଏ ଜାତୀୟ ଅଲୋଡ଼ା ଦଳରୁ ଗୋଟିଏ ମୂଲ୍ୟବାନ ଔଷଧ ତିଆରି ହେଉଛି । ଏଇ ପ୍ରକାରେ ଚିଲିକାରୁ ଲକ୍ଷ ଲକ୍ଷ ଟଙ୍କା ଆୟ କରାଯାଏ ।

 

ଚିଲିକାର କୂଳେ କୂଳେ ହଜାର ହଜାର କେଉଟ ରହିଛନ୍ତି । ସେମାନେ ମାଛ ମାରି ଆଉ ନାଆ ବାହି ଯାହା ରୋଜଗାର କରନ୍ତି, ସେଥିରେ ଦୁଃଖେ କଷ୍ଟେ ନିଜର ପେଟପାଟଣା ଚଳାଇ ନିଅନ୍ତି । ଗଞ୍ଜାମ ଓ ପୁରୀ ଜିଲ୍ଲାର ପ୍ରାୟ ୩୫ ହଜାର ମତ୍ସ୍ୟଜୀବୀଙ୍କର ଚିଲିକା ହେଉଛି ଭାତହାଣ୍ଡି । ପ୍ରତିଦିନ ହାରାହାରି ଦୁଇଶହ ମହଣ ନାନା ଜାତିର ମାଛ ଚିଲିକାରୁ ମରାଯାଏ । ଶୀତଦିନେ ପ୍ରଚୁର କଙ୍କଡ଼ା ଧରାଯାଇ ବାହାରକୁ ଚାଲାଣ ହୁଏ । ଏଠାରେ ବି ଅନେକ ଲୋକ କଙ୍କଡ଼ା ଖାଆନ୍ତି । ଶୀତଋତୁରେ ଅନେକ ପକ୍ଷୀ ଶିକାର କରାଯାଏ ।

 

ଆଗେ ଚିଲିକା ଉପରେ ପାରିକୁଦ ରାଜାଙ୍କର ଅଖଣ୍ଡ ଅଧିକାର ରହିଥିଲା । ଚିଲିକା ରେଳ ଷ୍ଟେସନଠାରୁ ରମ୍ଭା ଷ୍ଟେସନ ଯାଏ ସାମାନ୍ୟ ଅଂଶ ବାଦ ଦେଲେ ଆଉ ସମସ୍ତ ଅଞ୍ଚଳ ଏହି ରାଜାଙ୍କର ପୂରା ଦଖଲରେ ଥିଲା । ଚିଲିକାର ମୋଟ ୧୮୨ଟି ମତ୍ସ୍ୟଦିଆ (ମାଛ ମାରିବା ଜାଗା) ଭିତରୁ ୧୭୬ଟି ପାରିକୁଦ ଇଲାକା ଆଉ ୬ଟି ମାତ୍ର ଖଲିକୋଟ ତାଲୁକରେ ରହିଥିଲା । ନିଜ ଅଞ୍ଚଳର ମତ୍ସ୍ୟଦିଆଗୁଡ଼ିକ ସାଧାରଣରେ ନିଲାମ ଦେଇ ପାରିକୁଦ ଗଡ଼ର ରାଜା ବାହାଦୂର ଲକ୍ଷ ଲକ୍ଷ ଟଙ୍କା ଆଦାୟ କରୁଥିଲେ । ଖଲିକୋଟ ରାଜା ବାକି ମତ୍ସ୍ୟଦିଆଗୁଡ଼ିକରୁ ଯାହା କିଛି ଟଙ୍କା ରୋଜଗାର କରୁଥିଲେ ।

 

ଭାରତ ସ୍ୱାଧୀନ ହେଲା । ରାଜାଙ୍କର ରାଜ୍ୟ ଗଲା । ଜମିଦାରଙ୍କର ଜମିଦାରୀ ଲୋପ ପାଇଲା । ଚିଲିକା ହ୍ରଦ ଓଡ଼ିଶା ସରକାରଙ୍କ ଅଧୀନକୁ ଆସିଲା । ଚିଲିକାର ମତ୍ସ୍ୟଦିଆଗୁଡ଼ିକର ନିଲାମ ଆଦି ଦାୟିତ୍ୱ ନୂଆପଡ଼ା ଓ କୋଦଳା ଅଞ୍ଚଳ ଅଧିକାରୀ ବା ତହସିଲଦାରଙ୍କ ଉପରେ ନ୍ୟସ୍ତ ହେଲା । ସେହି ମତ୍ସ୍ୟଦିଆଗୁଡ଼ିକ ଅଞ୍ଚଳାଧିକାରୀଙ୍କ ଦ୍ୱାରା ସାଧାରଣରେ ନିଲାମ ହେଲା । ସବୁଠାରୁ ଅଧିକ ନିଲାମ ଡାକିଥିବା ଲୋକମାନଙ୍କୁ ଗୋଟିଏ ବର୍ଷ ପାଇଁ ସେଠାରେ ମାଛମାରିବା ଅଧିକାର ଦିଆଯାଏ । ନିଲାମ ତାରିଖ ଦିନ ନିଲାମ ଗ୍ରହୀତାମାନଙ୍କୁ ନିଲାମ ଧନର ଚାରିଭାଗରୁ ଏକ ଭାଗ ଜମା କରିବାକୁ ହେଉଥିଲା । ଏମିତି ଦଶବର୍ଷ ବିତିଗଲା ପରେ ଦେଖାଗଲା ଯେ ବାକି ନିଲାମ ଧନତକ ନିଲାମ ଗ୍ରହୀତାଙ୍କଠାରୁ ଆଦୌ ସହଜରେ ଆଦାୟ ହୋଇ ପାରିଲା ନାହିଁ । ଏହା ଏକ ବିରାଟ ସମସ୍ୟା ହୋଇ ଠିଆ ହେଲା । ନିଲାମ ଗ୍ରହୀତା ତଥା ବ୍ୟବସାୟୀମାନଙ୍କର କାରସାଦି ଆଉ ବଦମାସୀ ଯୋଗୁଁ ସରକାରଙ୍କୁ ବହୁ କ୍ଷତି ସହିବାକୁ ହେଉଥିଲା ।

 

ଏହି ସମସ୍ୟାର ସମାଧାନ ପାଇଁ ସହଯୋଗ ସୂତ୍ରରେ ଏକ ଯୋଜନା ଗଢ଼ାହେଲା । ଓଡ଼ିଶା ସରକାରଙ୍କ ନିମନ୍ତ୍ରଣ କ୍ରମେ ବିଶେଷ କରି ଓଡ଼ିଶା ମତ୍ସ୍ୟ ବିଭାଗର ଡିରେକ୍‌ଟରଙ୍କ ଚେଷ୍ଟାରେ ଶ୍ରୀ ଏ. ଏଫ. ଲେଡ଼ଲ ନାମକ ଜଣେ କାନାଡ଼ା ମତ୍ସ୍ୟ ବିଶେଷଜ୍ଞ ଚିଲିକା କୂଳର ଏକ କେନ୍ଦ୍ରସ୍ଥାନ ବାଲୁଗାଁକୁ ଆସିଥିଲେ । ସେ କେତେକ ସ୍ଥାନୀୟ ଭଦ୍ରବ୍ୟକ୍ତି ଆଉ ସରକାରୀ ହାକିମମାନଙ୍କର ଗହଣରେ ଚିଲିକା ଭିତରେ ବୁଲିଥିଲେ । ସେମାନଙ୍କ ସହିତ ଆଲୋଚନା ବି କରିଥିଲେ । ତା’ପରେ ଚିଲିକାର ଉନ୍ନତି ଆଉ ମାଛ କାରବାରର ସୁବିଧା ପାଇଁ ଏକ ଯୋଜନା ତିଆରି କରି ଓଡ଼ିଶା ସରକାରଙ୍କ ପାଖେ ଦାଖଲ କରିଥିଲେ ।

 

କାନାଡ଼ା ସାହେବଙ୍କ ଯୋଜନାର ମୂଳ ଉଦ୍ଦେଶ୍ୟ ହେଲା ଚିଲିକାରୁ ମିଳୁଥିବା ସବୁ ମାଛ ସହଯୋଗ ସମିତି ଜରିଆରେ ବିକ୍ରି କରି ନିରୀହ କେଉଟମାନଙ୍କୁ ମାଛ ବ୍ୟବସାୟୀଙ୍କ ଠକାମି ଆଉ କାରସାଦିରୁ ରକ୍ଷା କରିବା । ଏବେ ସୁଦ୍ଧା ଚିଲିକା କୂଳରେ ୨୦।୨୫ଟି ପ୍ରାଥମିକ ମତ୍ସ୍ୟଜୀବୀ ସହଯୋଗ ସମିତି ଗଢ଼ାଯାଇ ପାରିଛି । ସେମାନଙ୍କ ମଧ୍ୟରୁ କୋଡ଼ିଏଟି ପ୍ରାୟ ବର୍ଷେ ହେଲା ମାଛ କାରବାର ଆରମ୍ଭ କରିଛନ୍ତି । କେଉଟମାନଙ୍କ ମଧ୍ୟରୁ ପ୍ରାୟ ଅଧେ ଏବେ ସହଯୋଗ ସମିତିର ସୁବିଧା ଭୋଗ କରି ପାରୁ ନାହାନ୍ତି । ଏହାର କାରଣ ସେଇ ଲାଭଖୋର ବ୍ୟବସାୟୀଙ୍କର ଖଳବୁଦ୍ଧି-। ସେ କେଉଟମାନଙ୍କ ମଧ୍ୟରେ ଅଶାନ୍ତି ମନୋମାଳିନ୍ୟ ସୃଷ୍ଟି କରିବାକୁ ମଧ୍ୟ ପଛାଉ ନାହାନ୍ତି-

 

ଉପରେ କୁହାଯାଇ ଥିବା ପ୍ରାଥମିକ ସମିତିଗୁଡ଼ିକୁ ନେଇ କେନ୍ଦ୍ର ମତ୍ସ୍ୟଜୀବୀ ସହଯୋଗ ବାଣିଜ୍ୟ ସମିତି ନାମରେ ଏକ କେନ୍ଦ୍ର ସମିତି ଗଢ଼ାଯାଇଛି । ସରକାରୀ କର୍ମଚାରୀ ଓ ବେସରକାରୀ ଭଦ୍ରବ୍ୟକ୍ତିମାନେ ଏହି ସମିତିର ପରିଚାଳନା ଦାୟିତ୍ୱରେ ଅଛନ୍ତି । ଓଡ଼ିଶା ଭିତରେ ଓ ବାହାରେ ମାଛ ବ୍ୟବସାୟୀ ଠିକ୍‌ କରି ସେମାନଙ୍କ ନିକଟକୁ ମାଛ ଚାଲାଣ କରିବା ଆଉ ପ୍ରାଥମିକ ସମିତିଗୁଡ଼ିକୁ ସେମାନଙ୍କର ଦରକାରକୁ ଚାହିଁ ଋଣ ଯୋଗାଇବା ଏ କେନ୍ଦ୍ର ସମିତିର ପ୍ରଧାନ କାର୍ଯ୍ୟ-

 

ବର୍ତ୍ତମାନ ସୁଦ୍ଧା ଓଡ଼ିଶା ବାହାରେ ଆଠ ଦଶଜଣ ବ୍ୟବସାୟୀ କେନ୍ଦ୍ର ସମିତି ଜରିଆରେ ଚିଲିକା ମାଛ ନେଇ କାରବାର କରୁଛନ୍ତି । ସେମାନେ କେନ୍ଦ୍ର ସମିତିର ‘‘ଗ’’ ଶ୍ରେଣୀ ସଭ୍ୟ ହୋଇଛନ୍ତି । ସେମାନଙ୍କ ଭିତରୁ ଅନେକ କଲିକତାରେ ଆଉ ଅଳ୍ପ କେତେ ଜଣ ଖଡ଼ଗପୁରଠାରେ ମାଛ ବେପାର କରନ୍ତି । ପ୍ରତ୍ୟେକ ବ୍ୟବସାୟୀ ବ୍ୟବସାୟର କାଇଦା ଦୃଷ୍ଟିରୁ କେନ୍ଦ୍ର ବାଣିଜ୍ୟ ସହଯୋଗ ସମିତିରେ ପାଞ୍ଚହଜାର ଟଙ୍କା ଲେଖେଁ ନିରାପଦ ଅମାନତ ଜମା କରିଛନ୍ତି । ଯୋଜନା ଅନୁସାରେ ମାଛ ମାରି ଚାଲାଣ କରିବା ଏହା ସମିତିର ଏକଚାଟିଆ ବ୍ୟବସାୟ । କୌଣସି ଲୋକ ସମିତିର ଅନୁମତି ନ ନେଇ ଏହା କରି ପାରିବେ ନାହିଁ । ଅବଶ୍ୟ ବର୍ତ୍ତମାନ କାର୍ଯ୍ୟ କ୍ଷେତ୍ରରେ ତାହା ସଦାବେଳେ ସମ୍ଭବ ହୋଇ ପାରୁ ନାହିଁ-

 

କେନ୍ଦ୍ର ସହଯୋଗ ସମିତି ବର୍ଷକ ଭିତରେ ଦୁଇଥର ପ୍ରାଥମିକ ସମିତିମାନଙ୍କୁ ଋଣ ଯୋଗାଇ ଥାଏ । ସେ ଦୁଇଥର ମଧ୍ୟରେ ଅକ୍‌ଟୋବର ମାସର ପ୍ରଥମ ସପ୍ତାହରୁ ନଭେମ୍ୱର ଶେଷ ସପ୍ତାହ ଭିତରେ ଥରେ । ଏଇ ସମୟରେ ଜାଣ (ମାଛ ଧରିବା ପାଇଁ ଆୟୋଜନ କରାଯାଇଥିବା ଜାଗା)ରୁ ମାଛ ମରା ଆରମ୍ଭ ହୁଏ । ସେଥି ନିମନ୍ତେ ଦରକାରୀ ଜିନିଷପତ୍ର ଓ ଯନ୍ତ୍ରପାତି, ଯଥା ତାଟ, ପଟି, କିଳା ବଜା ଆଉ ନାଆ ଆଦିର ମରାମତି ପାଇଁ ପ୍ରଥମ ଥର ଋଣ ଦିଆଯାଏ । ଏହାଛଡ଼ା ଅନ୍ୟ କୌଣସି ବିବାହ ଆଦି ପ୍ରଧାନ ଉତ୍ସବମାନଙ୍କରେ କୌଣସି ସଭ୍ୟ ଋଣ ନେବାକୁ ଦରଖାସ୍ତ କଲେ କେନ୍ଦ୍ର ସମିତି ବିଚାର କରି ଋଣ ମଞ୍ଜୁର କରନ୍ତି । ପୁଣି ଏପ୍ରିଲ ମାସ ଆରମ୍ଭରୁ ଚିଙ୍ଗୁଡ଼ି ଖଟି ଲଗାଣ ପାଇଁ ଦ୍ୱିତୀୟ ଥର ଋଣ ଯୋଗାଣ ହୁଏ । କୌଣସି ସମିତି ବା ସଭ୍ୟଙ୍କଠାରୁ ବକେୟା ଋଣ ଟଙ୍କା ଆକାରରେ ଆଦାୟ କରାଯାଏ ନାହିଁ । ସଭ୍ୟମାନେ ସମିତିକୁ ଦେଉଥିବା ମାଛ ଓ ଚିଙ୍ଗୁଡ଼ି ଦାମରୁ ତାହା କାଟି ରଖାଯାଏ । ତେଣୁ କୌଣସି ଲୋକ ଋଣ ସୁଝିବାରେ ବେଶୀ ଅସୁବିଧାରେ ପଡ଼େ ନାହିଁ ।

 

ଏବେ ଚିଲିକାର ମତ୍ସ୍ୟଦିଆ ସବୁ ତହସିଲଦାରମାନଙ୍କ ଦ୍ୱାରା ନିଲାମ ଦିଆ ଯାଉନାହିଁ । ଏହି ଦାୟିତ୍ୱ ବର୍ତ୍ତମାନ କେନ୍ଦ୍ର ମତ୍ସ୍ୟଜୀବୀ ସହଯୋଗ ବାଣିଜ୍ୟ ସମିତି ଉପରେ ଦିଆଯାଇଛି । ପୁଣି କେନ୍ଦ୍ର ସମିତି ପ୍ରାଥମିକ ସମିତି ହାତରେ ସମସ୍ତେ ଜାଣ ଓ ଚିଙ୍ଗୁଡ଼ି ଖଟିର ଦାୟିତ୍ୱ ଦେଉଛନ୍ତି । ୧୯୫୯-୬୦ ବର୍ଷ ପ୍ରାଥମିକ ସମିତିଗୁଡ଼ିକ ଗତ ତିନି ବର୍ଷର ହାରାହାରି ନିଲାମ ମୂଲ୍ୟରେ ସମୁଦାୟ ଜାଣ ଓ ଚିଙ୍ଗୁଡ଼ି ଖଟିଗୁଡ଼ିକରେ ଦଖଲ ପଟ୍ଟା ଦିଆଯାଇଛି । ପ୍ରତିବର୍ଷ ମତ୍ସ୍ୟଦିଆଗୁଡ଼ିକର ନିର୍ଦ୍ଦିଷ୍ଟ ମହାସୁଲ ପ୍ରାଥମିକ ସମିତିମାନଙ୍କଠାରୁ ଆଦାୟକରି କେନ୍ଦ୍ରସମିତି ଅର୍ଥ ବିଭାଗକୁ ଜମା ଦେଇଥାଏ । ଫଳରେ ଆଗ ଭଳି ଆଉ ମତ୍ସ୍ୟଦିଆଗୁଡ଼ିକରୁ ଅର୍ଥ ଆଦାୟ ପାଇବାରେ ସରକାରଙ୍କର ଅସୁବିଧା ହେଉନାହିଁ । ୧୯୫୯-୬୦ ବର୍ଷ ପାଇଁ ମତ୍ସ୍ୟଦିଆଗୁଡ଼ିକର ମହାସୁଲ ଏକ ଲକ୍ଷ ତେଷଠି ହଜାର ଟଙ୍କା ଧାର୍ଯ୍ୟ କରା ଯାଇଥିଲା । କେନ୍ଦ୍ର ସମିତି ଏଥିରୁ ଶତକଡ଼ା ଦଶ ହିସାବରେ ପ୍ରାୟ ଦେଢ଼ହଜାର ଟଙ୍କା ଲାଭ କରିଥିଲା ।

 

ଚିଲିକାର ଯେଉଁ ମତ୍ସ୍ୟଜୀବୀମାନେ ଦରିଦ୍ର ଅବସ୍ଥାରେ ରହି ଠକ ବ୍ୟବସାୟୀମାନଙ୍କର ଶିକାର ହେଉଥିଲେ, ଚିଲିକା ପାଣିରେ ଖରାତରା, ଶୀତକାକର ସହି ମାଛ ଧରି ପେଟକୁ ମୁଠେ ଆଉ ଦେହକୁ ଖଣ୍ଡେ ଭଲ କରି ପାଉ ନ ଥିଲେ, ସେମାନେ ଆଜି ବେଶ୍‌ ସ୍ୱଚ୍ଛଳ ଅବସ୍ଥାରେ ଚଳୁଛନ୍ତି । ସେମାନଙ୍କ ଭିତରୁ ଅନେକ ଆଜି ସଭ୍ୟ ଶିକ୍ଷିତ ହେଲେଣି । ସେମାନଙ୍କର ବେଶଭୂଷା ଆଉ ଘରଦ୍ୱାର ଖୁବ୍‌ ସୁନ୍ଦର ଆଉ ଆଧୁନିକ ଧରଣର ହେଲାଣି । ସହଯୋଗ ସମିତି ସେମାନଙ୍କର ଭାଗ୍ୟ ବଦଳାଇ ଦେଇଛି । ସେଥିପାଇଁ ସେମାନେ ଆଜି ଆନନ୍ଦିତ ଆଉ ଆଗାମୀ ଯୁଗର ସୁଖ ସ୍ୱପ୍ନରେ ବିଭୋର ।

Image

 

ସବୁରି ତୁଣ୍ଡରେ ସମିତିର ଜୟଗାନ

 

ଭାରତର ରାଜଧାନୀ ଦିଲ୍ଲୀ । ଏହି ବିରାଟ ସହରର ଗୋଟିଏ ଜନଗହଳି ରାସ୍ତା । ଅସୁମାରି ଯାନବାହନ । ଖୁବ୍‌ ଜୋରରେ ସେମାନଙ୍କର ଗତି । ସେଇ ରାସ୍ତାରେ ମୁହୂର୍ତ୍ତକ ଭିତରେ ଶହ ଶହ ରିକ୍‌ସା, ମଟର ପବନ ବେଗରେ ଛୁଟିଛି । ରାସ୍ତାର ଏପଟରୁ ସେପଟକୁ ଯିବା କାଠିକର ପାଠ । ସେଠାରେ ଗୋଟିଏ କୋଠାଘର । ଉପର ମହଲାର ବସି କେତେଜଣ ଲୋକ ଖୁବ୍‌ ଘମାଘୋଟ ଆଲୋଚନା କରୁଛନ୍ତି । ତଳର ଏ ଗହଳି ଆଉ ଘୋ-ଘୋ ଆଡ଼କୁ ଜମା ନଜର ନାହିଁ । ସେମାନେ ରାଜନୀତି କଲା ଲୋକ ନୁହଁନ୍ତି, କି ସାହିତ୍ୟ ଲେଖିଲା ବାଲା ନୁହନ୍ତି । ସେମାନେ ବି ସାଧୁସନ୍ନ୍ୟାସୀ ଦଳ ନୁହନ୍ତି । ସେମାନେ ସମସ୍ତେ ସାଇକେଲ ରିକ୍‌ସା ଚାଳକ । ଦିନ ମଜୁରିଆ । ମାଲିକ ନୁହନ୍ତି । ଦିଲ୍ଲୀର ସାଇକେଲ ରିକ୍‌ସାଚାଳକ ସମବାୟ ସମିତିର ବୈଠକ ବସିଛି । ଏ ପର୍ଯ୍ୟନ୍ତ ସମିତି ଭିତରକୁ ଆସିନଥିବା ବହୁସଂଖ୍ୟକ ରିକ୍‌ସାଚାଳକ କିପରି ଏଥିରେ ସଭ୍ୟ ହୋଇ ପାରିବେ ଆଉ ସେମାନଙ୍କୁ କିପରି ସମିତିର ସକଳ ସୁବିଧା ବତାଇ ଦିଆଯାଇ ପାରିବ, ଏଇ କଥାହିଁ ଖୁବ୍‌ ଜୋରସୋରରେ ଆଲୋଚନା ଚାଲିଛି ।

 

ରିକ୍‌ସାଚାଳକ ବିଚରା ଅତିକଷ୍ଟରେ ତା’ର ଜୀବନ ବାହି ନିଏ, ଘରସଂସାର ଚଳାଇ ନିଏ । ତେଲଲୁଣର ଦୁନିଆଁ ତା’ର ଦୁଃଖଭରା । ତାଳୁ ଝାଳ ତଳିପାରେ ମାରି ସେ ରିକ୍‌ସା ଟାଣେ । ସେ ଯାହା ମଜୁରୀ ପାଏ ତା’ର ବଡ଼ଭାଗ ଯାଏ ରିକ୍‌ସା ମାଲିକ ପାଖକୁ । ପୁଣି ସେଥିରେ ମାଲିକର କଡ଼ା ବ୍ୟବହାର । କଠିନ ତା’ର କାଇଦା କଟକଣା । ଘରେ ବସି ସେ ପାଏ ରିକ୍‌ସା ଭଡ଼ା, ଖରା କାକରରେ ରିକ୍‌ସାବାଲା ଯାହା ରୋଜଗାର କରେ ସେଥିରୁ ବଡ଼ଭାଗ । ଆଗେ ହାତଟଣା ରିକ୍‌ସାବାଲା ମନୁଷ୍ୟ ହୋଇ ପଶୁପରି ଖଟୁଥିଲା, ଝାଳ ନ ବୁହାଇ ଦେହରୁ ରକ୍ତ ଝରାଉଥିଲା । ଧଡ଼ିଆ ମଢ଼ିଆ ଦେହଧରି ସତେ ଯେମିତି ରିକ୍‌ସାଟାକୁ ଜୀବନ ବିକଳରେ ଟାଣୁଥିଲେ । ଏବେ ଯଦିଓ ସାଇକେଲ ରିକ୍‌ସା ସେ କଷ୍ଟ ବହୁ ପରିମାଣରେ କମାଇ ଦେଇଛି । ତଥାପି ତା’ର ଦୁଃଖ ଅସୁମାରି । ଆଜିର ସମାଜରେ ସେ ଏକ ଶୋଷିତ ଗୋଷ୍ଠୀ ।

 

କେତେକବର୍ଷ ପୂର୍ବେ ଦିଲ୍ଲୀର ସାଇକେଲ ରିକ୍‌ସା ଚାଳକମାନେ ଗୋଟିଏ ବଡ଼ ଅସୁବିଧାରେ ପଡ଼ିଲେ । ଦିଲ୍ଲୀର ପ୍ରାୟ ସବୁ ରିକ୍‌ସା ଦଳେ ସ୍ୱାର୍ଥପର ଧନୀ ଲୋକଙ୍କର ଥିଲା । ଦିନକୁ ଦିନ ସେମାନଙ୍କର ଦାଉ ଅସମ୍ଭାଳ ହେଲା । ସେମାନଙ୍କର ବ୍ୟବହାର କଠୋର ହେଲା; ରିକ୍‌ସା ଭଡ଼ା ଭୀଷଣ ଭାବରେ ବଢ଼ିଲା । କେଉଁ ବାଟରେ ସେମାନଙ୍କର ଅତ୍ୟାଚାରରୁ ରକ୍ଷା ପାଇବେ, ଗରିବ ରିକ୍‌ସାବାଲାମାନେ ଜାଣି ପାରିଲେ ନାହିଁ । ରାଜନୈତିକ ନେତା ଓ ସାମାଜିକ କର୍ମୀମାନେ ଏଥିପାଇଁ ଯେତେ ସଭାସମିତି କରୁଥିଲେ ସବୁ ବିଫଳ ହେଲା । ରିକ୍‌ସାବାଲାମାନେ ନିଜର ଅସୁବିଧା ଦୂର କରିବାକୁ କେତେଥର ଏକାଠି ହେବାକୁ ଠିକ୍‌ କଲେ । କିନ୍ତୁ ସେସବୁ ବୈଠକରେ ଖୁବ୍‌ କମ୍‌ ଲୋକ ଯୋଗ ଦେଉଥିଲେ । ସେମାନେ କିଛି ଆଲୋଚନା କରି ପାରୁ ନ ଥିଲେ । ସବୁରି ମନ କଥା ସେମିତି ମନରେ ରହିଥିଲା ।

 

କେତେଜଣ ରିକ୍‌ସାବାଲା ଭାବିଲେ ଗୋଟିଏ ସହଯୋଗ ସମିତି ଗଢ଼ିପାରିଲେ ସେମାନଙ୍କର ଅସୁବିଧା ଦୂର ହୋଇ ପାରିବ । ସେମାନେ ନିରାଶ ନ ହୋଇ ବାରମ୍ୱାର ସଭା ଡକାଇଲେ । ଶେଷରେ ଥରେ ମାତ୍ର ଏଗାର ଜଣ ରିକ୍‌ସାବାଲା ଏକାଠି ହେଲେ । ଗୋଟିଏ ସହଯୋଗ ସମିତି ଗଢ଼ିଲେ । ମୂଳଧନ ବାବତରେ ନିଜ ଭିତରୁ ୫୦ଟଙ୍କା ଯୋଗାଡ଼ ହେଲା । ବିଧିବଦ୍ଧ ଭାବରେ ସମିତିଟି ଗଢ଼ା ହେଲା । ୧୯୫୫ ମସିହା ଜୁଲାଇ ୨୨ ତାରିଖରେ ସେତେବେଳକୁ ସଭ୍ୟ ସଂଖ୍ୟା ହେଲା ୨୪, ଆଉ ମୂଳଧନ ହେଲା ୩୪୫ଟଙ୍କା ।

 

ପ୍ରଥମେ ସହଯୋଗ ସମିତିଟି ନାନା ଅଭାବ ଅସୁବିଧାର ସମ୍ମୁଖୀନ ହୋଇଥିଲା । ସମିତି ପକ୍ଷରୁ କେତୋଟି ରିକ୍‌ସା କିଣିବାପାଇଁ ବିଚାର ହେଲା । ମାତ୍ର ସେମାନେ ହଜାର ହଜାର ଟଙ୍କା କେଉଁଠୁ ପାଇବେ ? କିନ୍ତୁ ମନ ଥିଲେ ଧନ ମିଳେ । ରିକ୍‌ସା ଚାଳକମାନେ ନିଜେ ଭେଦାଚାନ୍ଦା କରି ସାତହଜାର ଟଙ୍କା ଯୋଗାଡ଼ କଲେ । ରାଜ୍ୟ ସମବାୟ ବ୍ୟାଙ୍କଠାରୁ ୩୫ହଜାର ଟଙ୍କା ଋଣ ଆଣିଲେ । ସାଇକେଲ ରିକ୍‌ସା ଦୋକାନୀମାନେ ୧୫ହଜାର ଟଙ୍କା ବାକି ରଖିଥିଲେ । ଏଇପରି ଭାବରେ ସମିତି ଅନେକ ଗୁଡ଼ିଏ ସାଇକେଲ ରିକ୍‌ସା କିଣିଲା । କିନ୍ତୁ ସମିତିର ରିକ୍‌ସା ଗୁଡ଼ିକ ଦିଲ୍ଲୀ ନଗରୀରେ ଚଳିବା ପାଇଁ ସୁବିଧାରେ ଅନୁମତି ପତ୍ର ମିଳିଲା ନାହିଁ । ସେ ଦିଗର ନାନା ବାଧାବିଘ୍ନ ପହଞ୍ଚିଲା । ଶେଷରେ ସମତିର ଚେଷ୍ଟା ସଫଳ ହେଲା ।

 

ଏଥିଭିତରେ ପାଞ୍ଚବର୍ଷ ବିତିଗଲା । ସମିତିର ମୋଟ ସଭ୍ୟସଂଖ୍ୟା ୪୩୨ ହେଲା । ବର୍ତ୍ତମାନ ସମିତି ୭୫ ହଜାର ଟଙ୍କା ମୂଲ୍ୟର ୧୫୮ଟି ସାଇକେଲ ରିକ୍‌ସା ଆଉ ୭୫ ହଜାର ଟଙ୍କା ଦାମ୍‌ର ୧୫ଟି ସ୍କୁଟର ରିକ୍‌ସା ଯୋଗାଡ଼ କଲେଣି । ସଭ୍ୟମାନଙ୍କର ଅଂଶ ବାବତରେ ମିଳିଥିବା ମୂଳଧନ ୪୦ ହଜାର ଟଙ୍କା ଛଡ଼ା ଏହାର ଆଉ ପ୍ରାୟ ୧୦ ହଜାର ଟଙ୍କା ମୂଲ୍ୟରେ ସମ୍ପତ୍ତି ହୋଇ ପାରିଛି । ସମିତିର ଅଫିସ କାମ ଚଳାଇବାର ମାସକୁ ଆଠଶହଟଙ୍କା ଖର୍ଚ୍ଚ ହୁଏ । ସମିତିର ସମସ୍ତ ରିକ୍‌ସାକୁ ଶୀଘ୍ର ଓ ସୁବିଧାରେ ମରାମତି କରିବା ପାଇଁ ନିଜର ଗୋଟିଏ କାରଖାନା ରହିଛି ।

 

ସହଯୋଗ ସମିତିରେ ରିକ୍‌ସାବାଲାମାନେ ସଭ୍ୟ ହେଲେ ପ୍ରଥମେ ନିଜ ଅଂଶ ବାବତକୁ ଦଶ ଟଙ୍କା ଦାଖଲ କରିଥାନ୍ତି । କିନ୍ତୁ ପ୍ରତ୍ୟେକ ଅଂଶ ମୂଲ୍ୟ ଏକଶହ ଟଙ୍କା । ତେଣୁ ରିକ୍‌ସା ବାଲାମାନେ ପ୍ରତିଦିନ କିସ୍ତିରେ ୫୦ ପଇସା କରି ସମିତି ଅଫିସରେ ଜମା ଦିଅନ୍ତି । ରିକ୍‌ସାର ମରାମତି ପାଇଁ ଏହାର ଗୋଟିଏ ଭାଗ ରିକ୍‌ସାବାଲାକୁ ଫେରାଇ ଦିଆ ଯାଇଥାଏ ।

 

୧୯୬୦ ମସିହାରେ ଜଣେ ସଭ୍ୟ ସମିତିଠାରୁ ପାଞ୍ଚଅଣା ମୂଲ୍ୟରେ ଆଠଘଣ୍ଟାପାଇଁ ଗୋଟିଏ ରିକ୍‌ସା ଭଡ଼ା ନେଇ ପାରୁଥିଲେ । ସମିତି ଗଢ଼ାଯିବା ଆଗରୁ ରିକ୍‌ସାବାଲା ଏତିକି ସମୟ ପାଇଁ ରିକ୍‌ସା ଭଡ଼ାରେ ନେଲେ ଦୁଇଟଙ୍କାଠାରୁ ଅଧିକ ଦେବାକୁ ପଡ଼ୁଥିଲା । ସ୍କୁଟର ରିକ୍‌ସାରେ ଅଧିକ ଆଦାୟ ହେଉଥିବାରୁ ଦିନକୁ ଗୋଟିଏ ସ୍କୁଟର ରିକ୍‌ସାର ଭଡ଼ା ଆଠଟଙ୍କାରୁ ଦଶ ଟଙ୍କା । ରିକ୍‌ସାଗୁଡ଼ିକର ଦୈନିକ ମରାମିତି ରିକ୍‌ସାବାଲା ନିଜ ଖର୍ଚ୍ଚରେ କରୁଥିଲା । କିନ୍ତୁ ପ୍ରତିବର୍ଷ ଥରେ ଲେଖେଁ ରିକ୍‌ସା ଗୁଡ଼ିକରେ ବାର୍ଷିକ ମରାମତି ହେଉଥିଲା, ଆଉ ସେ ଖର୍ଚ୍ଚ ସମିତି ବହନ କରୁଥିଲା-। ଏହାଛଡ଼ା ସମିତି ସଭ୍ୟ ହେଉଥିବା ରିକ୍‌ସା ବାଲାଙ୍କୁ ବର୍ଷକ ପାଇଁ ଦୁଇଟି ପୋଷାକ ଯୋଗାଇ ଦେଉଥିଲା ।

 

ସମିତି ସଭ୍ୟମାନଙ୍କୁ କେବଳ ଯେ ସୁବିଧାରେ ସାଇକେଲ ରିକ୍‌ସା ଭଡ଼ା ଦେଇ ଜୀବିକା ଅର୍ଜନରେ ସାହାଯ୍ୟ କରୁଛି ସେତିକି ନୁହେଁ, ସେମାନଙ୍କର ଜୀବନକୁ ସୁଖ ଶାନ୍ତିପୂର୍ଣ୍ଣ କରିବାକୁ ନାନା ପ୍ରକାର ସୁବିଧା ଯୋଗାଇ ଦେଉଛି । ରିକ୍‌ସା ବାଲାଙ୍କର ସ୍ୱାସ୍ଥ୍ୟର ଉନ୍ନତି ନିମନ୍ତେ ସାହାଯ୍ୟ କରୁଛି । ରୋଗ ହେଲେ ଚିକିତ୍ସାର ବ୍ୟବସ୍ଥା କରାଇ ଦେଉଛି । ପିଲାମାନଙ୍କ ଶିକ୍ଷା ଲାଗି ସାହାଯ୍ୟ କରୁଛି । ସେମାନଙ୍କର ବହିପତ୍ର କିଣିବାରେ ମଧ୍ୟ ସମିତି ସାହାଯ୍ୟ ଦେଉଛି ।

 

ସମିତି ବଳରେ ଆଜି ଗରିବ ରିକ୍‌ସାବାଲାର ଅବସ୍ଥା ସ୍ୱଚ୍ଛଳ ହୋଇଛି । ତା’ର ଆଉ ତା’ ପିଲାମାନଙ୍କର ଶୁଖିଲା ମୁହଁରେ ଜୀବନଉଛୁଳା ହସ ଫୁଟି ଉଠିଛି । ଅତୀତର ଦୁଃଖ ଦାରିଦ୍ର୍ୟ କେଉଁଆଡ଼େ ଲୁଚିଗଲାଣି । ଅନ୍ୟର ଶୋଷଣ ଅତ୍ୟାଚାରରୁ ଆଜି ମୁକୁଳି ସେ ଶାନ୍ତିରେ ନିଶ୍ୱାସ ମାରୁଛି ।

 

ଯେଉଁମାନେ ଅନ୍ୟଠାରୁ ରିକ୍‌ସା ଭଡ଼ାରେ ଆଣି ଚଳାଉଥିଲେ; ସେମାନେ ଆଜି ନିଜେ ରିକ୍‌ସା କେତୋଟିର ମାଲିକ ହେଲେଣି । କେତେଜଣ ସାଇକେଲ ରିକ୍‌ସା ବଦଳରେ ସ୍କୁଟର ରିକ୍‌ସା ଚଳାଇବାକୁ ସକ୍ଷମ ହେଲେଣି । କେତେକ ସଭ୍ୟ ବ୍ୟାଙ୍କରେ ଟଙ୍କା ଜମା କଲେଣି । ଆଉ କେତେ ଭଲ ଘରେ ରହିବାକୁ ଆରମ୍ଭ କଲେଣି । ଅଧିକାଂଶ ରିକ୍‌ସାବାଲାଙ୍କର ଘର ଖଣ୍ଡେ ନ ଥିବାରୁ ସେମାନଙ୍କ ଲାଗି ଗୋଟାଏ ବଡ଼ ବାସଗୃହ ତିଆରି ହେଲାଣି । ସମସ୍ତଙ୍କର ସ୍ୱାସ୍ଥ୍ୟ ଓ ଶିକ୍ଷାର ଉନ୍ନତି ପାଇଁ ନାନା ବ୍ୟବସ୍ଥା କାର୍ଯ୍ୟକାରୀ ହେଉଛି । ଆଜି ଏହି ସମିତିରେ ସଭ୍ୟ ହେବା ପାଇଁ ଶହ ଶହ ରିକ୍‌ସାବାଲା ଅପେକ୍ଷା କରି ରହିଛନ୍ତି ।

 

ଲାଲୁସିଂହ ହେଉଛନ୍ତି ସେଇ ସମିତିର ପ୍ରଥମ ସଭାପତି ଦିନେ ସେ ଭଡ଼ା ରିକ୍‌ସା ଚଳାଇ ନିଜର ପେଟ ପୋଷୁଥିଲେ । ଆଜି ତାଙ୍କର ବ୍ୟାଙ୍କରେ ଦୁଇ ହଜାର ଟଙ୍କା ଜମା ହୋଇଛି । ସମିତିର ଦୈନିକ ଭଡ଼ା ଦେବାପରେ ମଧ୍ୟ ତାଙ୍କର ମାସକୁ ଅତିକମ୍‌ରେ ଦେଢ଼ ଶହ ଦୁଇଶହ ଟଙ୍କା ବଳୁଛି । ଫଳରେ ତାଙ୍କର ପିଲାମାନେ ଆଜି ସୁଖରେ ଚଳୁଛନ୍ତି । ଭଲ ଘରେ ରହୁଛନ୍ତି ।

 

ଶ୍ରୀଜଗନ୍ନାଥ ଆଉ ଜଣେ ଶରଣାର୍ଥୀ ଲୋକ । ଘରଦ୍ୱାର, ସମ୍ପତ୍ତିବାଡ଼ି ଛାଡ଼ି ସେ ସର୍ବହରା ହୋଇଥିଲେ । ରିକ୍‌ସା ଭଡ଼ାରେ ଚଳାଇ ତାର ଗୁଜୁରାଣ ମେଣ୍ଟାଉଥିଲେ । କିନ୍ତୁ ଆଜି ସେ ବ୍ୟାଙ୍କରେ ଟଙ୍କା ଜମାଇ ପାରିଛନ୍ତି । ସାଇକେଲ ରିକ୍‌ସା ଛାଡ଼ି ବର୍ତ୍ତମାନ ସ୍କୁଟର ରିକ୍‌ସା ଚଳାଇଲେଣି । ତାଙ୍କର ମାସିକ ଆୟ ଏବେ ଦୁଇଶହ ପଚାଶ ଟଙ୍କାରୁ ବେଶୀ । ସେ ଭଉଣୀଙ୍କୁ ବିବାହ ଦେବା ସଙ୍ଗେ ସଙ୍ଗେ ନିଜେ ମଧ୍ୟ ବିବାହ କରି ସାରିଲେଣି । ତାଙ୍କର ପରିବାରଟି ଏବେ ସୁଖଶାନ୍ତିରେ ଚଳୁଛନ୍ତି । ଏଇପରି ଅନେକ ଦରିଦ୍ର, ନିରାଶ୍ରୟ, ସର୍ବହରା, ଆଉ ଶୋଷିତ ଜୀବନ ଆଜି ସହଯୋଗ ସମିତିର ଚେଷ୍ଟାରେ ସୁନ୍ଦର ସରସ ଓ ଉନ୍ନତ ହୋଇ ପାରିଛି । ତେଣୁ ଆଜି ଏହି ସମିତି ସମସ୍ତଙ୍କର ଦୃଷ୍ଟି ଆକର୍ଷଣ କରିଛି । ଆଉ ସବୁରି ତୁଣ୍ଡରେ ଏହାର ପ୍ରଶଂସା ଓ ଜୟଗାନ ଖେଳିଯାଉଛି ।

Image

 

ଭଗବତ ପାଣ୍ଠିରୁ ସହଯୋଗ କୋଠି

 

ବହୁଦିନ ତଳର କଥା । ଖାଲି ଓଡ଼ିଶାରେ କାହିଁକି, ସାରା ଭାରତରେ କେଉଁଠି ସମବାୟ ଆନ୍ଦୋଳନ ଆରମ୍ଭ ହୋଇ ନ ଥିଲା । କିନ୍ତୁ ଓଡ଼ିଶାର ଏକ ପୁରୁଣା ଗଡ଼ଜାତ ବଡ଼ାମ୍ୱାର ପ୍ରତ୍ୟେକ ଗ୍ରାମରେ ଗ୍ରାମାବାସୀଙ୍କ ସହଯୋଗରେ ‘‘ଭଗବତ ପାଣ୍ଠି’’ର ବ୍ୟବସ୍ଥା ଥିଲା । ମହାଜନମାନଙ୍କ କବଳରୁ ସରଳ ନିରୀହ ଓ ଅଭାବୀ ଲୋକଙ୍କୁ ରକ୍ଷା କରିବା ଆଉ ଚାଷବାସର ସୁବିଧା କରିବା ପାଇଁ ଗାଁ ଲୋକଙ୍କୁ ଏହି ପାଣ୍ଠିରୁ ଋଣ ଦିଆଯାଉଥିଲା । ଗାଁର ସମୂହ ଉନ୍ନତି ଓ ମଙ୍ଗଳ ନିମନ୍ତେ ଏହି ପାଣ୍ଠିରୁ ଖର୍ଚ୍ଚ ହେଉଥିଲା । ଏଥିରେ କୌଣସି ରାଜାର ହୁକୁମ ନ ଥିଲା, କି କୌଣସି ସରକାରୀ କାଇଦା କଟକଣା ଲାଗୁ ହେଉ ନଥିଲା । ଗାଁ ଲୋକଙ୍କ ସମୂହ ସହଯୋଗରେ ଏଇ ପାଣ୍ଠିରେ ରକ୍ଷଣାବେକ୍ଷଣ ହେଉଥିଲା । ଗ୍ରାମର ବୟସ୍କ ଆଉ ମୁଖିଆ କେତେଜଣଙ୍କୁ ନେଇ ପଞ୍ଚପରମେଶ୍ୱର ବା ପଞ୍ଚାୟତ ରହିଥିଲା । ସେମାନଙ୍କ ଉପରେ ଗାଁର ସବୁ ସଂସ୍ଥାର ପରିଚାଳନା ଦାୟିତ୍ୱ ରହିଥିଲା ।

 

ଏଇ ଭଗବତ ପାଣ୍ଠିରେ ଯେ ଖାଲି ଟଙ୍କାପଇସା ରହୁ ଥିଲା, ତାହା ନୁହେଁ । ଧାନ ଚାଉଳ, ଜିନିଷପତ୍ର ଆକାରରେ ବି ଏଥିପାଇଁ ଆଦାୟ ହେଉଥିଲା । ଗ୍ରାମବାସୀମାନେ ଚାଷ କି ବେପାର ବଣିଜ କରିବାକୁ ବା କେତେବେଳେ ଅଭାବ ଅସୁବିଧା ପଡ଼ିଲେ ଏଇ ପାଣ୍ଠିରୁ ଧନ, ଧାନ କରଜ ନେଉଥିଲେ । ଆମଦାନୀ ବେଳେ ସୁଧ ସହିତ ତାହା ସୁଝି ଦେଉଥିଲେ । ଏଇ କରଜ ବୁଡ଼ାଇଲେ ବା ଏଇ ପାଣ୍ଠିରୁ କେହି ଅର୍ଥ ଆତ୍ମସାତ୍‌କଲେ ନରକ ଦଣ୍ଡ ଭୋଗ କରିବେ ବୋଲି ଭୟ ଥିଲା । ତେଣୁ ଏ ଧନ ଆଦାୟରେ କି ଏହି ପାଣ୍ଠିର ରକ୍ଷଣାବେକ୍ଷଣରେ ଅସୁବିଧା ହେଉ ନ ଥିଲା । ଏଇ ପାଣ୍ଠିକୁ ସୁଧ ଆକାରରେ ଯାହା ମିଳୁଥିବା ସେଥିରେ ଗାଁର ଯାନିଯାତ୍ରା, ମେଳା ମଉଚ୍ଛବ, ରାସ୍ତା ତିଆରି, କୂଅ ପୋଖରୀ ଖୋଲା କି ଉଝୁଳା ଆଦି ଉନ୍ନତିକର କାର୍ଯ୍ୟରେ ବ୍ୟୟ ହେଉଥିଲା । ଏଇପରି ଭାବରେ ଗାଁ ମାନଙ୍କରେ ସର୍ବଦା ସୁଖଶାନ୍ତି ବିରାଜୁଥିଲା ।

 

୧୯୦୪ ମସିହାରେ ଇଂରେଜ ସରକାର ମୋଗଲ ବନ୍ଦୀ ଅଞ୍ଚଳରେ ସମବାୟ ଆଇନ କାର୍ଯ୍ୟକାରୀ କଲେ । ବଡ଼ାମ୍ୱାକୁ ଲାଗି ଦକ୍ଷିଣରେ ବାଙ୍କି ଅଞ୍ଚଳ । ସରକାରଙ୍କ ତରଫରୁ ସେଠା ଲୋକମାନଙ୍କୁ ବହୁ ସାହାଯ୍ୟ ସୁଯୋଗ ଦିଆଗଲା । କିନ୍ତୁ ବଡ଼ାମ୍ୱା ରାଜାଙ୍କ ଅଧୀନରେ ରହି ଶାସିତ ହେଉଥିବାରୁ ସେଠାରେ ସମବାୟ ଆନ୍ଦୋଳନ ଆରମ୍ଭ ହୋଇ ନ ଥିଲା । ତେବେ ବାଙ୍କି ପାଖ ହୋଇଥିବାରୁ ବଡ଼ାମ୍ୱାର ଲୋକମାନେ ଏ ବିଷୟରେ ଅନେକ କିଛି ଶୁଣିଥିଲେ ।

 

ଏମିତି ଦିନ ଗଡ଼ି ଚାଲିଲା । ୧୯୩୬-୩୭ ମସିହାରେ ବଡ଼ାମ୍ୱାର ରାଜା ନାରାୟଣ ଚନ୍ଦ୍ର ବୀରବର ମଙ୍ଗରାଜ ମହାପାତ୍ର ବାଙ୍କିର ସେତେବେଳକାର ଡେପୁଟି କଲେକ୍‌ଟରଙ୍କ ସମ୍ପର୍କରେ ଆସି ସମବାୟ ପ୍ରତି ଆକୃଷ୍ଟ ହେଲେ । ଫଳରେ ସେ ଏ ଅଞ୍ଚଳରେ ଲୋକପ୍ରିୟ ଥିବା ‘‘ଭଗବତ ପାଣ୍ଠି’’ର ଆହୁରି ଉନ୍ନତି କରିବାରେ ମନ ଦେଲେ । ଏଥିପାଇଁ ସେ ରାଜଦରବାର ଅଧୀନରେ ଜଣେ କର୍ମଚାରୀ ନିଯୁକ୍ତ କରି ଗାଁ ମାନଙ୍କରେ ଥିବା ଏସବୁ ସଂସ୍ଥାଗୁଡ଼ିକୁ ଭଲ ଭାବରେ ଗଢ଼ିବାର ବ୍ୟବସ୍ଥା କଲେ । ସେ କର୍ମଚାରୀ ଗାଁ ଲୋକଙ୍କୁ ଏଥିପାଇଁ ଆବଶ୍ୟକ ପରାମର୍ଶ ଓ ଉପଦେଶ ଦେଉଥିଲେ । ଏଇ ଅଞ୍ଚଳର ମାଣିଆବନ୍ଧ ତନ୍ତଶିଳ୍ପ ଭାରତ ବିଖ୍ୟାତ । ବଡ଼ାମ୍ୱା ରାଜ୍ୟର ତନ୍ତୀମାନେ ଭାରି ମଜ୍‌ବୁତ ଆଉ ସୁନ୍ଦର ଲୁଗାପଟା ଆଦି ବୁଣି ସୁନାମ ଅର୍ଜିଥିଲେ । ମାଣିଆବନ୍ଧ ଶାଢ଼ି, ଧୋତି, ଗାମୁଛାର ସବୁଠାରେ ଆଦର ଥିଲା ।

 

ମାତ୍ର ସବୁଦିନ ସମାନ ଯାଏ ନାହିଁ । ଦିନ ପରେ ରାତି ଆସେ । ଯେଉଁ ଭଗବତ ପାଣ୍ଠି ବଡ଼ାମ୍ୱା ଅଞ୍ଚଳର ସବୁ ଉନ୍ନତିର ମୂଳଦୁଆ ପରି ହୋଇଥିଲା ଲୋକଙ୍କର ବୁଝାମଣା ଅଭାବରୁ ସେସବୁ ଅନେକ ଜାଗାରେ ଭାଙ୍ଗିଗଲା । ମିଲ୍‍ ଲୁଗାପଟା ସହିତ ତାଳ ଦେଇ ନ ପାରି ମାଣିଆବନ୍ଧ ତନ୍ତଶିଳ୍ପ ଲୋପ ପାଇବାକୁ ବସିଲା । ବୁଣାକାରମାନଙ୍କ ଅବସ୍ଥା ଶୋଚନୀୟ ହୋଇପଡ଼ିଲା । ଗାଁ ଗହଳିର ଗର୍ବ ଗରିମା ଭାଙ୍ଗି ଚୂରମାର ହୋଇଗଲା ।

 

ବଡ଼ାମ୍ୱା ରାଜାଙ୍କ ଚେଷ୍ଟାରେ ଲୋକମାନଙ୍କ ଠାରୁ ଚାନ୍ଦାଭେଦା ଆଦାୟ କରାଯାଇ ଗୋଟିଏ ସମୂହ ‘ପାଣ୍ଠି’ ଖୋଲାଗଲା । ମାଣିଆବନ୍ଧରେ ଗୋଟିଏ ଲୁଗାବୁଣା କେନ୍ଦ୍ର ଆରମ୍ଭ ହେଲା-। ବୁଣାକାରମାନଙ୍କ ନାନା ପ୍ରକାର ସୁନ୍ଦର ଛାଞ୍ଚ ଓ ଢାଞ୍ଚାର ଲୁଗା ବୁଣିବା ପାଇଁ ଉତ୍ସାହ ଦିଆଗଲା-। ସେମାନଙ୍କୁ ସୂତା ଓ ଅନ୍ୟାନ୍ୟ କେତେକ ଆବଶ୍ୟକ ଉପକରଣ ଯୋଗାଇ ଦିଆଗଲା-। ଏହାଫଳରେ ଲୁଚି ଯାଉଥିବା ବୟନ ଶିଳ୍ପ ନୂଆ ରୂପ ଆଉ ନୂଆ ଚେହେରା ନେଇ ଦେଖାଦେଲା-। ଏଥିରେ କିନ୍ତୁ ବୁଣାକାରମାନେ ବିଶେଷ ଲାଭବାନ୍‌ ହେଲେ ନାହିଁ । କେବଳ ମଜୁରୀ ରୂପରେ ସେମାନେ ଯାହା କିଛି ପାଇଲେ ।

 

ଏହା ପରେ ପରେ ବଡ଼ାମ୍ୱାରେ ପ୍ରଜାମଣ୍ଡଳ ଆନ୍ଦୋଳନ ଆରମ୍ଭ ହୋଇ କ୍ରମେ କ୍ରମେ ଖୁବ୍‌ ଜୋର୍‍ ସୋରରେ ଚାଲିଲା । ୧୯୪୬-୪୭ ମସିହାରେ ଏଇ ଆନ୍ଦୋଳନ ଫଳରେ ଦରବାର ଶାସନ ଭାଙ୍ଗିପଡ଼ିଲା; ଆଉ ପ୍ରଜାମଣ୍ଡଳ ଜରିଆରେ ଗ୍ରାମେ ଗ୍ରାମେ ପଞ୍ଚାୟତରାଜ ବସିଲା । ପ୍ରଜାମଣ୍ଡଳ ନେତୃତ୍ୱରେ ମନ୍ତ୍ରୀମଣ୍ଡଳ ଗଢ଼ାଗଲା । ବଡ଼ାମ୍ୱା ଅଞ୍ଚଳରେ ସେମାନେ ଭଗବତ ପାଣ୍ଠି ପରି ସବୁ ସହଯୋଗ ଅନୁଷ୍ଠାନଗୁଡ଼ିକର ଉନ୍ନତିରେ ଧ୍ୟାନ ଦେଲେ । ସମବାୟ ଆନ୍ଦୋଳନର ପ୍ରଚାର ଓ ପ୍ରସାର ଖୁବ୍‌ ବେଗରେ ଚାଲିଲା । ତନ୍ତଶିଳ୍ପର ଉନ୍ନତି ପାଇଁ ଅନେକ ବୁଣାକାର ସହଯୋଗ ସମତି ଗଢ଼ାଗଲା ।

 

୧୯୪୮ ମସିହା ଜାନୁୟାରୀ ପହିଲାରେ ଅନ୍ୟ ଗଡ଼ଜାତଗୁଡ଼ିକ ସହିତ ବଡ଼ାମ୍ୱା ମଧ୍ୟ ଓଡ଼ିଶା ପ୍ରଦେଶ ସହିତ ମିଶିଲା । ଏହି ସୁଯୋଗରେ ସେତେବେଳର ମୁଖ୍ୟମନ୍ତ୍ରୀ ଡକ୍ଟର ହରେକୃଷ୍ଣ ମହତାବ ଓ ସମବାୟ ବିଭାଗର ରେଜିଷ୍ଟାର୍‌ ଜଗତ୍‌ବନ୍ଧୁ ମହାପାତ୍ର ସହଯୋଗ ଆନ୍ଦୋଳନକୁ ଆହୁରି ତେଜାଇ ଦେଇଥିଲେ । ଏମାନଙ୍କ ସହିତ ପ୍ରଜାମଣ୍ଡଳର ନେତାମାନଙ୍କ ସମୂହ ସହଯୋଗ ଓ ସହନୁଭୂତି ବଳରେ ପ୍ରତି ଗାଁରେ ଗଢ଼ା ହୋଇଥିବା ଭଗବତ ପାଣ୍ଠି ୧୨୦ଟି ଶସ୍ୟ ଓ ଅର୍ଥ ଋଣ ସହଯୋଗ ସମିତି ରୂପେ ସମବାୟ ବିଭାଗ ଦ୍ୱାରା ମଞ୍ଜୁରୀ ପାଇଲା ।

 

ଏଇ ସମିତିଗୁଡ଼ିକ ଭଲ ଭାବରେ କାର୍ଯ୍ୟ କରି ସୁନାମ ଅର୍ଜିଥିବା କେନ୍ଦ୍ର ବ୍ୟାଙ୍କ ସହିତ ଅନ୍ତର୍ଭୁକ୍ତ ହେଲା । ଫଳରେ ଗ୍ରାମବାସୀମାନେ ସମିତିର ସଭ୍ୟ ଭାବରେ ଧାନ ଓ ଟଙ୍କା ଋଣ ପାଇ ଚାଷବାସର ଉନ୍ନତି କରିବା ପାଇଁ ସୁବିଧା ସୁଯୋଗ ପାଇଲେ । ମାଣିଆବନ୍ଧର ତନ୍ତୁବାୟ ସହଯୋଗ ସମିତି ବୁଣାକାରମାନଙ୍କ ମଧ୍ୟରେ ନୂଆ ଆଶା ଆଉ ଉତ୍ସାହ ସୃଷ୍ଟି କରିଦେଲା । ଏହିସବୁ ସମିତି ଭଲଭାବରେ ପରିଚାଳନା କରିବା ପାଇଁ ସମବାୟ ବିଭାଗ ତରଫରୁ ଜଣେ ସୁଦକ୍ଷ କର୍ମଚାରୀ ବଡ଼ାମ୍ୱାର ନିଯୁକ୍ତ ହେଲେ । ତାଙ୍କର ନିଷ୍ଠାପର କାର୍ଯ୍ୟ ଓ ଲୋକଙ୍କର ସହଯୋଗ ଫଳରେ ସମବାୟ ଅନୁଷ୍ଠାନଗୁଡ଼ିକ ଆଗେଇ ଚାଲିଲା ।

 

ଗାଁ ଗହଳିରେ ଲୋକଙ୍କଠାରୁ ଯେଉଁ ଧାନ ଆଦାୟ କରାଯାଇ କୋଠରେ ରହୁଥିଲା, ସେସବୁ ନିରାପଦରେ ରହିପାରୁ ନ ଥିଲା । ତେଣୁ ଧାନର ସୁରକ୍ଷା ପାଇଁ ସରକାରଙ୍କଠାରୁ ଅର୍ଥ ସାହାଯ୍ୟ ମିଳିଲା । ଗ୍ରାମବାସୀମାନେ ଆଗ୍ରହରେ ଗୋଟିଏ ଲେଖାଏଁ ସୁନ୍ଦର ଆଉ ସୁଦୃଢ଼ ଗୋଲାଘର ତିଆର କଲେ । ମାଣିଆବନ୍ଧ ତନ୍ତୁବାୟ ସହଯୋଗ ସମିତିର କାର୍ଯ୍ୟ ସରକାରୀ ସହଯୋଗରେ ଖୁବ୍‌ ପ୍ରଶଂସନୀୟ ଅଗ୍ରଗତି କଲା । ପରେ ପରେ ଏଇ ଅଞ୍ଚଳରେ ଆଉ ଅନେକ ତନ୍ତୁବାୟ ସମିତି, ଖଣ୍ଡସାରୀ ସମିତି, ନାରୀ କଲ୍ୟାଣ ସମିତି, ଗୃହନିର୍ମାଣ ସମିତି ଓ ଶ୍ରମିକ ସହଯୋଗ ସମିତି ପ୍ରଭୃତି ଗଢ଼ି ଉଠିଲା ।

 

୧୯୬୨ ମସିହାରେ ଏଇ ଅଞ୍ଚଳରେ ୧୨୦ଟି ଶସ୍ୟ ଓ ଅର୍ଥ ଋଣସହଯୋଗ ସମିତି, ଗୋଟିଏ ବୃହଦାକାର ସମବାୟ ସମିତି, ଗୋଟିଏ ନାରୀକଲ୍ୟାଣ ସମିତି, ୪ଟି ତନ୍ତୁବାୟ ସହଯୋଗ ସମିତି, ୧୪ଟି ଗୃହନିର୍ମାଣ ସହଯୋଗ ସମିତି ଗୋଟିଏ ମୋଚି ସହଯୋଗ ସମିତି ଆଉ ଅନେକ ଶ୍ରମିକ ସହଯୋଗ ସମିତି ଗଢ଼ି ଉଠିଛି । ସେତେବେଳକୁ ଚାଷ ବ୍ୟବସାୟ ଆଦି ବେଉସାରେ ସାହାଯ୍ୟ କରିବା ପାଇଁ କେବଳ ଋଣ ସହଯୋଗ ସମିତିମାନଙ୍କୁ ପ୍ରାୟ ତେର ଲକ୍ଷ ଟଙ୍କା ଋଣ ଏବଂ ଗୃହନିର୍ମାଣ ସମିତିଗୁଡ଼ିକ ଗୃହନିର୍ମାଣ କରପୋରେସନରୁ ଭଲ ଘର ତିଆରି କରିବା ଲାଗି ଚାରି ଲକ୍ଷରୁ ଅଧିକ ଟଙ୍କା ଋଣ ଆଣି ପାରିଥିଲେ ।

 

ନାରୀକଲ୍ୟାଣ ସମିତିର ସଭ୍ୟମାନେ ସୂକ୍ଷ୍ମ କାରୁକାର୍ଯ୍ୟ ଓ ବୁଣାବୁଣିର ନିପୁଣତା ଯୋଗୁଁ ବେଶ୍‌ ସୁନାମ ଅର୍ଜନ କରି ପାରିଛନ୍ତି । ସ୍ତ୍ରୀ ଓ ବାଳିକାମାନଙ୍କୁ ସିଲେଇ ଶିକ୍ଷା ଦେବା ପାଇଁ ଗୋଟିଏ ସିଲେଇ ଶିକ୍ଷା କେନ୍ଦ୍ର ଖୋଲା । ଯାଇଛି । ଏହାଛଡ଼ା ସମାଜ ମଙ୍ଗଳ ସମିତିର ସାହାଯ୍ୟ ଆଣି ପ୍ରାୟ ଛଅ ହଜାର ଲୋକଙ୍କୁ ମାଗଣାରେ ଔଷଧ ବଣ୍ଟା ଯାଇପାରିଛି ।

 

ଶଙ୍ଖାମେରୀ ଖଣ୍ଡସାରୀ ସହଯୋଗ ସମିତି ଏଇ ଅଞ୍ଚଳର ଗୋଟିଏ ନାମଜାଦା ସମବାୟ ଅନୁଷ୍ଠାନ । ଏହା ଗରିବ ଆଖୁଚାଷୀମାନଙ୍କୁ ଉନ୍ନତ ଧରଣର ଆଖୁ ବିହନ, ସାର ଓ ଭଲ ଆଖୁପେଡ଼ା କଳ ଯୋଗାଇ ଦେଉଛି । ଗୁଡ଼ ତିଆରି କରିବାର ଆଧୁନିକ ପ୍ରାଣାଳୀ ଗାଁର ଚାଷୀମାନଙ୍କୁ ବତାଇ ଦେବାର ବ୍ୟବସ୍ଥା କରୁଛି । ଆଖୁ ଲଗାଇବାଠାରୁ ଗୁଡ଼ ହେବା ଯାଏ ସବୁ କାମରେ ଏହି ସମିତି ଚାଷୀମାନଙ୍କୁ ସାହାଯ୍ୟ କରି ଆସୁଛି । ପାଞ୍ଚବର୍ଷ ହେଲା ସେଠାରେ ମଧ୍ୟ ଚିନି ତିଆରି ହେଉଛି । ବଡ଼ାମ୍ୱାର ମୋଚି ସମବାୟ ସମିତିର ସଭ୍ୟମାନେ ଉତ୍କୃଷ୍ଟ ଧରଣର ଜୋତା, ଚପଲ, ସ୍ୟାଣ୍ଡଲ ପ୍ରଭୃତି ଚମଡ଼ା ଜିନିଷ ତିଆରି କରିବାରରେ ବିଶେଷ ଖ୍ୟାତି ଅର୍ଜନ କରିଛନ୍ତି ।

 

ସେଇପରି ତନ୍ତୁବାୟ ସମିତିଗୁଡ଼ିକର ବୁଣାକାରମାନେ ଉନ୍ନତ ଓ ମନୋହର ଲୁଗାପଟା ବୁଣିବାରେ ପ୍ରସିଦ୍ଧ । ଏଠାକାର ଲୁଗା ସବୁ କଟକ, କଲିକତା, ବମ୍ୱେ, ମାନ୍ଦ୍ରଜ, ଦିଲ୍ଲୀ ପ୍ରଭୃତି ସହରମାନଙ୍କରେ ଅଶେଷ ପ୍ରଶଂସା ଲାଭକରି ପାରିଛି । ଏବେ ମୋଟ ଉପରେ ବଡ଼ାମ୍ୱାର ଶତକଡ଼ା ଅଶୀଜଣ ଲୋକ ସହଯୋଗ ଆନ୍ଦୋଳନରେ ଯୋଗଦେଇ ଉପକୃତ ହୋଇଛନ୍ତି । ଦିନକୁଦିନ ଏ ଦିଗରେ ଜନ ସାଧାରଣ ଆଗ୍ରହୀ ଓ ଉତ୍ସାହୀ ହେଉଛନ୍ତି । ସହଯୋଗ ବଳରେ ବଡ଼ାମ୍ୱା ଅଞ୍ଚଳ ଆଜି ସୁଖଶାନ୍ତି–ପଥରେ ଆଗେଇ ଚାଲିଛି ।

Image